
ପାଟଣାଗଡ଼, (ଅଶୋକ କୁମାର ବାଗ) : ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ସରକାରୀ ଉନ୍ନତିମୂଳକ ଫାଇଲ ଚିରିଦେବା ଅଭିଯୋଗ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଜନପ୍ରତିନିଧିଙ୍କ ନାମରେ ଏପରି ଅଭିଯୋଗ କେବଳ ଦୁଃଖଦ ନୁହେଁ, ବରଂ ସରକାରୀ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଖୋଲା ଅସମ୍ମାନ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ସୂଚନା ଅନୁଯାୟୀ, ପାଟଣାଗଡ଼ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ କୌଣସି କାମରେ ହେଡ୍କ୍ଲର୍କଙ୍କ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଧାତୁକ ଗ୍ରାମପଞ୍ଚାୟତର ମଲ୍ଲିକମୁଣ୍ଡାରୁ ଧାତୁକ ରାସ୍ତା ଉନ୍ନତି କାର୍ଯ୍ୟ ସମ୍ବନ୍ଧୀୟ ଫାଇଲ ଦେଖି ବିରକ୍ତି ପ୍ରକାଶ କରିଥିଲେ । ଅଭିଯୋଗ ଅନୁସାରେ ସେ ଉକ୍ତ ସରକାରୀ ଫାଇଲକୁ ଚିରି ଦେଇଥିବା ସହ ଗୋଡ଼ରେ ଆଡେଇ ଦେଇଥିଲେ । ପରେ ସେ ଅଫିସରୁ ବାହାରି ଯାଇଥିବା କୁହାଯାଉଛି । ଘଟଣା ପରେ ହେଡ୍କ୍ଲର୍କ ସରୋଜ କୁମାର ବାବୁ ପାଟଣାଗଡ଼ ବିଡିଓଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । ବିଡିଓ ସେତେବେଳେ ବାହାରେ ଥିବାରୁ ପୋଲିସକୁ ଅବଗତ କରାଯାଇଥିଲା । ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ସହ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଛି । ଏକ ସରକାରୀ ଫାଇଲ କେବଳ କାଗଜ ନୁହେଁ, ଏହା ଲୋକଙ୍କ ଉନ୍ନତି, ସରକାରୀ ନିୟମ ଓ ପ୍ରଶାସନିକ ପ୍ରକ୍ରିୟାର ପ୍ରତୀକ । ଯଦି ଜଣେ ଜନପ୍ରତିନିଧି ନିଜ ରୋଷରେ ସରକାରୀ ଦଲିଲକୁ ଚିରିଦେଇଥାନ୍ତି, ତେବେ ଏହା ନିଶ୍ଚିତ ଭାବେ ଅନୁଶାସନହୀନତା ଓ ଅଧିକାରର ଦୁରୁପଯୋଗର ଉଦାହରଣ ବୋଲି ଲୋକେ ଆଲୋଚନା କରୁଥିବା ବେଳେ ଏପରି କାର୍ଯ୍ୟ ସାଧାରଣ ଲୋକଙ୍କ ମନରେ ଭୟ ଓ ଅବିଶ୍ୱାସ ସୃଷ୍ଟି କରୁଛି ବୋଲି ଚର୍ଚା ହେଉଛି ।