
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭୂମିକା ପକ୍ଷରୁ ଆସନ୍ତା ୨୨ ତାରିଖରୁ ଏକ ନାଟ୍ୟ କର୍ମଶାଳାର ଆୟୋଜନ କରାଯିବ । କର୍ମଶାଳା ୨୨ ତାରିଖରୁ ଆରମ୍ଭ ହୋଇ ଜୁନ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ନାଟ୍ୟକର୍ମୀ ନବୀନ କୁମାର ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ଏହି ଅବସରରେ ଏନଏସଡିଆନ୍ମାନଙ୍କ ଦ୍ୱାରା କେତେକ ସ୍ୱତନ୍ତ୍ର ତାଲିମର ମଧ୍ୟ କାର୍ଯ୍ୟକ୍ରମ ରହିଛି । ସେହିପରି ଆମ ଅଞ୍ଚଳର ପ୍ରସିଦ୍ଧି ପ୍ରାପ୍ତ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକମାନେ ମଧ୍ୟ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି । ୨୨ ତାରିଖ ଅପରାହ୍ନରେ କର୍ମଶାଳା ଆରମ୍ଭ ହୋଇ ପ୍ରତ୍ୟେହ ସକାଳ ୭ଟାରୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ଚାଲିବ । କେବଳ ୨୫ଜଣ ପ୍ରଶିକ୍ଷାର୍ଥୀ ହିଁ ଏଥିରେ ଅଂଶଗ୍ରହଣ କରିବେ । ସେମାନଙ୍କ ପାଇଁ ସକାଳେ ଓ ସନ୍ଧ୍ୟାରେ ଜଳପାନ ସହ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ବୋଲି ଭୂମିକାର ସମ୍ପାଦକ ଶକ୍ତିଧର ମିଶ୍ର କହିଛନ୍ତି । ତେବେ ଏହିଭଳି କର୍ମଶାଳାରେ ପିଲାଙ୍କ ବ୍ୟକ୍ତିତ୍ୱ ବିକାଶ, ସାମୂହିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଦକ୍ଷତା, ପ୍ରସଙ୍ଗ ଉପସ୍ଥାପନ ଦକ୍ଷତା, ସାମାଜିକ ଆଚରଣ ଆଦିର ବିକାଶ ହୋଇଥାଏ । ତେଣୁ ନାଟକ ପ୍ରତି ଆଗ୍ରହୀ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀମାନେ ଭୂମିକା ସହିତ ଯୋଗାଯୋଗକରି ନାମ ପଞ୍ଜିକରଣ କରାଇନେବାକୁ ଭୂମିକା ସମ୍ପାଦକ ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି ।