
ପଦ୍ମପୁର, (ନିରୋଜ କୁମାର ପାଣୀ) : ଏ ବର୍ଷର ମାଟ୍ରିକ ପରୀକ୍ଷାରେ ପଦ୍ମପୁର ଉପଖଣ୍ଡ ଜମଲା ଗ୍ରାମର ଛାତ୍ରୀ ଆକାଂକ୍ଷା ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି । ସେ ୫୫୮ ମାର୍କ ତଥା ୯୩ % ପ୍ରତିଶତ ରଖି ଏ୧ ଗ୍ରେଡ୍ ପାଇ ଜିଲ୍ଲାରେ ଚତୁର୍ଥ ସ୍ଥାନ ଅଧିକାର କରି ଗ୍ରାମ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆକାଂକ୍ଷାଙ୍କ ଏହି ସଫଳତା ପଛରେ ତାଙ୍କର ଅଦମ୍ୟ ପରିଶ୍ରମ, ଶିକ୍ଷକମାନଙ୍କର ସହଯୋଗ ଓ ପରିବାରର ଉତ୍ସାହ ବଡ଼ ଭୂମିକା ନେଇଛି । ସାଧାରଣ ପରିବେଶରୁ ଆସିଥିଲେ ମଧ୍ୟ ସେ ନିଜ ଲକ୍ଷ୍ୟ ପ୍ରତି ଅତୁଟ ଅଟଳତା ରଖି ଏହି ସଫଳତା ହାସଲ କରିପାରିଛନ୍ତି । ଏହି ସଫଳତା ପରେ ଗ୍ରାମରେ ଖୁସିର ମହଲ ଦେଖିବାକୁ ମିଳିଛି । ଗ୍ରାମବାସୀ, ଶିକ୍ଷକ ଓ ବିଭିନ୍ନ ସମାଜସେବୀ ଆକାଂକ୍ଷାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ତାଙ୍କ ଭବିଷ୍ୟତ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଆକାଂକ୍ଷା କହିଛନ୍ତି, “ମୋ ସଫଳତାର ଶ୍ରେୟ ମୋର ଅଜା କଂଗ୍ରେସ ଭୋଇ, ବାପା କେଶବ ଚନ୍ଦ୍ର ଭୋଇ, ମା ସସ୍ମିତା ଭୋଇ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଯାଉଛି । ଆଗାମୀ ଦିନରେ ମୁଁ ଆହୁରି ଭଲ କରିବାକୁ ଚେଷ୍ଟା କରିବି ଏବଂ ଅମାମୁଣ୍ଡା ଗ୍ରାମର ସୁଦର୍ଶନ ମିଶ୍ରଙ୍କ ପୁଅ ସନତ କୁମାର ମିଶ୍ରଙ୍କ ଅପୂର୍ବ ସଫଳତାରେ ଅନୁପ୍ରାଣିତ ହୋଇ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ଗରିବ ଲୋକଙ୍କ ସେବା କରିବା ପାଇଁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏହି ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ହୋଇଥିବା ବେଳେ, ଆକାଂକ୍ଷାଙ୍କ ଉପଲବ୍ଧିକୁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି ।