
- ସ୍ଲୋଗାନ ନୁହେଁ ମହିଳା କଂଗ୍ରେସ କାମ କରି ଦେଖେଇବ – ସମରେନ୍ଦ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରରେ ଥିବା ଦଳ ହେଉ କି ରାଜ୍ୟରେ ମୁଖ୍ୟ ବିରୋଧି ଦଳ ହେଉ ନାରୀଙ୍କ ସ୍ୱାର୍ଥ ରକ୍ଷା ଲଢେଇରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନାରୀ ସମାଜକୁ କେବଳ ଭୋଟ ହାତେଇବା ପାଇଁ ମାଧ୍ୟମ କରି ହୀନ ରାଜନୀତି କରୁଛନ୍ତି । କଂଗ୍ରେସ ଦଳ କିନ୍ତୁ ଏପରି ହୀନ ରାଜନୀତି ଉପରେ ବିଶ୍ୱାସ କରେନାହିଁ, ଆମର ରାଜନୀତି ସମ୍ପୂର୍ଣ ଅଲଗା । ଲୋକଙ୍କୁ ନେଇ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ କଂଗ୍ରେସ ବିଶେଷ କରି ମହିଳାଙ୍କୁ ତୃଣ ମୂଳ ସ୍ତରରୁ ସଶକ୍ତ କରିବା ଆମର ଲକ୍ଷ, ତେଣୁ ଆମେ କଂଗ୍ରେସ ଦଳ ଓ ଆମର ମହିଳାମାନେ ସ୍ଲୋଗାନରେ ବିଶ୍ୱାସ କରି ଗାଁ କୁ ଗାଁ ଘରକୁ ଘର ଯାଇ ମହିଳା ଓ ସାଧାରଣ ଲୋକଙ୍କ ପାଇଁ କାମ କରିବ ବୋଲି ସ୍ଥାନୀୟ ଜିଲ୍ଲା କଂଗ୍ରେସ ଭବନ ଠାରେ ନଗର କଂଗ୍ରେସ ସଭାପତିଙ୍କ ଦ୍ୱାରା ଆୟୋଜିତ ସମ୍ବର୍ଦ୍ଧନା ସଭାରେ ୨୦୨୪ ସାଧାରଣ ନିର୍ବାଚନରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ କଂଗ୍ରେସର ଟାଣୁଆ ଯୁବନେତା ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଆହୁରି ମଧ୍ୟ କହିଛନ୍ତି ଯେ, ସରକାରୀ ଦଳମାନେ ଭୋଟ ହାତେଇବା ପାଇଁ କିଛି ଟଙ୍କା ପ୍ରଲୋଭନ ଦେଖେଇ ମିଥ୍ୟା ସାମୟିକ ଆଶ୍ୱସ୍ତି ଦେବାରେ ବ୍ୟସ୍ତ, କିନ୍ତୁ ଆମ ମହିଳାମାନେ ଜାଣିବା ଦରକାର ଯେ, ହୁତ ହୁତ ହୋଇ ବଢୁଥିବା ଦରଦାମକୁ ନିୟନ୍ତ୍ରଣକୁ ନ ଆଣିଲେ ଆମର ମହିଳା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କ ନେତୃତ୍ୱରେ ସାରା ଜିଲ୍ଲାରେ ରଣହୁଙ୍କାର ଦେବେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ସରକାରଙ୍କୁ କଡା ଜବାବ ଦେବେ । ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଜୟନ୍ତୀ ପଟେଲଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଜୟନ୍ତୀ ପଟେଲ ଅତିତରେ ଗାଁ, ପଂଚାୟତ ରାଜନୀତିରେ ନିଜର ପରିପକ୍ଵତା ଦେଖେଇ ସାରିଛନ୍ତି । ସଫଳତାର ସହ ଆଗଲପୁର ପଂଚାୟତରେ ଅଧ୍ୟକ୍ଷା ହୋଇ ସଫଳତାର ସହ ଲୋକଙ୍କ ପାଇଁ କାମ କରି ଦେଖେଇଛନ୍ତି । ମୁଁ ଦୃଢ଼ ନିଶ୍ଚିତ ତାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ସାରା ଜିଲ୍ଲାରେ ଗରିବ ନିଷ୍ପେସିତ ଅବହେଳିତଙ୍କ ଆୱାଜ ହୋଇ ଉଭା ହେବେ । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଆମକୁ ଉନ୍ନତି କରିବାକୁ ହେଲେ ରାଜତନ୍ତ୍ର ନୁହେଁ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ପଡିବ । ରାଜତନ୍ତ୍ରରେ କେବଳ ଅନ୍ୟାୟ ଅତ୍ୟାଚାର ହୋଇଥାଏ, ଲୋକଙ୍କ ବିକାଶ କେବେ ହୁଏ ନାହିଁ, ଇତିହାସ କହେ ରାଜତନ୍ତ୍ର ସବୁବେଳେ ବିକାଶ ବିରୋଧି, ତେଣୁ ଆମର ମହିଳାମାନେ ଆଗାମୀ ନିର୍ବାଚନମାନଙ୍କରେ ରାଜତନ୍ତ୍ରକୁ ଗାଦିଚ୍ୟୁତ କରିବା ପାଇଁ ଏବେଠୁ ଅଣ୍ଟା ଭିଡନ୍ତୁ । ସମ୍ବର୍ଦ୍ଧନାର ପ୍ରତିଉତ୍ତରରେ ସଭାନେତ୍ରୀ ଜୟନ୍ତୀ ପଟେଲ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ସହ ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜାତୀୟ କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ତାଙ୍କ ଉପରେ ବିଶ୍ୱାସ ରଖି ଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ଶ୍ରୀମତୀ ପଟେଲ ଅଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ନିଶ୍ଚିତ ଭାବରେ ଦଳକୁ ଲୋକଙ୍କ ପାଖକୁ ନେଇ ନାରୀ ସୁରକ୍ଷାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରର କୁତ୍ସିତ ଚେହେରାକୁ ପଦାରେ ପକାଇବ । ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବ୍ଲକ ଉପାଧ୍ୟାକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ ବେହେରା, ଦେଓଗାଁ ବ୍ଲକ ସଭାପତି ରାମଜୀ ଚୌଧୁରୀ, ବଲାଙ୍ଗିର ବ୍ଲକ ସଭାପତି ରାମ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ସିଦ୍ଧାର୍ଥୀ ମିଶ୍ର, ଉମା ଶଙ୍କର ପଣ୍ଡା, ଲୁଇସିଂହା ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ କୁମ୍ଭାର ଓ ସାନନ୍ଦ ମିଶ୍ର ମଂଚାସୀନ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଅଞ୍ଚଳରୁ ହଜାର ହଜାର ମହିଳା ପୁରୁଷ ଉପସ୍ଥିତ ଥିଲେ ।