mahavir

ରାଉରକେଲାରେ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଓଡିଶା ଆରକ୍ଷୀ ବାହିନୀର ମୁଖ୍ୟ ତଥା ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପଶ୍ଚିମାଞ୍ଚଳ ପୋଲିସ୍ ରେଞ୍ଜ ଅଧିନସ୍ଥ ରାଉରକେଲା, କେଉଁଝର ଓ ସୁନ୍ଦରଗଡ଼ ପୋଲିସ୍ ଜିଲ୍ଲାର ପୋଲିସ୍ ବାହିନୀରେ ସଫଳତା ହାସଲ କରିଥିବା କେଉଁଝର ଆରକ୍ଷୀ ଅଧିକ୍ଷକ କୁଶଲକର ନିତିନ୍ ଦାଗୁଡୁଙ୍କ ସମେତ କେଉଁଝର ପୋଲିସର ଇନିସପେକ୍ଟର ଅଶୋକ କୁମାର ନାୟକ, ରାଉରକେଲା ପୋଲିସର ଇନିସପେକ୍ଟର ଅଶୋକ କୁମାର ବେହେରା, ସୁନ୍ଦରଗଡ ପୋଲିସର ଭାବଗ୍ରାହୀ ଜେନା, କେଉଁଝର ପୋଲିସର କନେଷ୍ଟବଲ ଆକାଶ କୁମାର ସାହୁ ଏବଂ ରାଉରକେଲା ଓଏସ୍ଏପି ଚତୁର୍ଥ ବାଟାଲିଅନର ଜେମସ୍ ମୁଣ୍ଡାଙ୍କୁ ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ପୋଲିସ୍ ପଦକ ପ୍ରଦାନ କରାଯାଇଛି । ଆଜି ରାଉରକେଲା ସିଭିକ୍ ସେଣ୍ଟର୍ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ ଉତ୍ସବର ମୁଖ୍ୟ ଅତିଥି ଭାବରେ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ୨୦୨୫ ଓ ୨୦୨୬ ଓଡିଶା ପାଇଁ ଅବିସ୍ମରଣୀୟ ବର୍ଷ ଭାବରେ ଧରାଯାଉଛି । ୨୦୨୬ରେ ଓଡିଶା ପୋଲିସ ୯୦ ବର୍ଷ ପୂରଣ କରି ୯୧ ବର୍ଷରେ ପଦାର୍ପଣ କରିଛି । ଏଥିସହିତ ଓଡିଶାରେ ତିନି ଦଶନ୍ଧି ଧରି ମାଓ ସମସ୍ୟା ଲାଗିରହିଥିଲା ତାହାର ମଧ୍ୟ ଅନ୍ତ ଘଟିଛି । ଓଡିଶା ଆଜି ମାଓ ମୁକ୍ତ ହୋଇଛି । ଓଡିଶା ପାଇଁ ଓଡିଶା ପୋଲିସର ଯବାନ ଓ ଜନସାଧାରଣ ବଳିଦାନ ଦେଇଛନ୍ତି । ଓଡିଶା ଆଜି ମାଓ ମୁକ୍ତ ହୋଇଥିଲେ ବି ପଡୋଶୀ ରାଜ୍ୟର କିଛି ଅଞ୍ଚଳରେ ମାଓ ସମସ୍ୟା ରହିଛି, ଏଥିପାଇଁ ଆମକୁ ସତର୍କ ରହିବାକୁ ପଡିବ । ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଆହୁରି କହିଥିଲେ ଯେ, ମାଓ ସମସ୍ୟାର ଅନ୍ତ ଘଟିବା ପରେ ଆମ ପାଇଁ ଆଉ ବଡ ଚ୍ୟାଲେଞ୍ଜ ରହିଛି । ତାହା ହେଉଛି “ସାଇବର କ୍ରାଇମ୍” । ବିଭିନ୍ନ ଉପାୟରେ ସାଇବର କ୍ରାଇମ ହେଉଛି ଏବଂ ଲୋକମାନେ ବିଭିନ୍ନ ମାଧ୍ୟମରେ ସାଇବର କ୍ରାଇମର ଶିକାର ହେଉଛନ୍ତି । ବିଗତ ଦିନରେ ମାସେ ପାଇଁ ଗୋଟେ ଅପରେସନ୍ ଚଳା ଯାଇଥିଲା, ତାହା ହେଉଛି ଅପରେସନ ସାଇବର୍ ଖୋଜ୍‌ । ସେହି ଅପରେସନ ସମୟରେ ଓଡିଶାର ସମସ୍ତ ଜିଲ୍ଲାକୁ ନିଆଯାଇ ଅପରେସନ୍ ଆରମ୍ଭ କରାଯାଇଥିଲା । ଏଥିରେ ପ୍ରାୟ ୪୭୦୦୦ ବ୍ୟାଙ୍କ ଏକାଉଣ୍ଟ୍ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ପ୍ରାୟ ୧୪୦୦ ସନ୍ଦେହ (ସସପେକ୍ଟେଡ) ବ୍ୟାଙ୍କ୍ ଏକାଉଣ୍ଟ୍ ବାହାରିଲା । ସେଥିରେ ଯେଉଁ ୩୫୦ରୁ ଅଧିକ ସାଇବର କ୍ରିମିନାଲ ଥିଲେ, ତାଙ୍କୁ ଗିରଫ କରାଯିବା ସହ ପ୍ରଥମଥର ପାଇଁ ସାଇବର କ୍ରାଇମରେ ଜଡିତ ହୋଇଥିବା ୭୦୦୦ ଲୋକଙ୍କୁ ନୋଟିସ୍ ଜାରି କରାଗଲା । ଏଥିପାଇଁ ବିଭିନ୍ନ ଜିଲ୍ଲାରେ ଥିବା ପୋଲିସ୍ ଅଧିକାରୀଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ ଧନ୍ୟବାଦ ଜଣାଇଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆହୁରି କହିଥିଲେ ଯେ, ରାଜ୍ୟରେ ୨୦ଟି ସାଇବର ଥାନା ଆରମ୍ଭ କରାଯିବା ସହିତ ସାଇବର ଏକ୍ସପର୍ଟମାନଙ୍କୁ ସେଥିରେ ନିଯୁକ୍ତି ଦିଆଯାଇଛି । ଏଥିସହିତ ସାଇବର କ୍ରାଇମର ତଦନ୍ତ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସହାୟତା ନିଆଯାଇ ପୋଲିସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ସହିତ ଜିଲ୍ଲା ସ୍ତରରେ, ରେଞ୍ଜ ସ୍ତରରେ ଏବଂ ରାଜ୍ୟ ସ୍ତରରେ ସଫ୍ଟଓୟାର, ହାର୍ଡୱେର ଏବଂ ତଦନ୍ତ ପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ପୋଲିସ୍ ବିଭାଗରେ ୧୭୦୦ ନୂଆ ପଦବୀ ସୃଷ୍ଟି କରିଛନ୍ତି, ଯାହା ଓଡିଶା ଇତିହାସରେ ପ୍ରଥମଥର ପାଇଁ ହୋଇଛି । ଏଥିସହିତ ସମୁଦାୟ ୩୩ ହଜାର ପୋଲିସ୍ ପଦବୀରେ ନିଯୁକ୍ତି ପାଇ ଯେଉଁଦିନ ବିଭିନ୍ନ ଥାନାରେ ଯୋଗଦେଇ କାର୍ଯ୍ୟ ଆରମ୍ଭ କରିବେ ସେଦିନ ଓଡିଶା ପୋଲିସର ଥିବା ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ପୂରଣ ହୋଇପାରିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଆହୁରି କହିଥିଲେ ଯେ, ୨୦୨୫ ଏବଂ ୨୦୨୬ ମାର୍ଚ୍ଚକୁ ଓଡିଶା ପୋଲିସ ପକ୍ଷରୁ ନିଶାମୁକ୍ତକୁ ଏକ ଡ୍ରାଇଭ ଭାବେ ନିଆଯାଇଥିଲା । ଓଡିଶାର ଜନସାଧାରଣଙ୍କୁ ନିଶାମୁକ୍ତ ଅଭିଯାନରେ ସାମିଲ ହେବାକୁ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆହ୍ୱାନ ଦେଇଛନ୍ତି । ତଦନ୍ତ ପାଇଁ ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ସହିତ ବାଇକ୍ ଯୋଗାଇ ଦିଆଯାଇଛି । ବର୍ଷେ ମଧ୍ୟରେ ରାଜ୍ୟ ବଜେଟରୁ ଅର୍ଥ ମଧ୍ୟ ଯୋଗାଇ ଦିଆଯାଇଛି । ରାଜ୍ୟରେ ୫ହଜାର ୪୦୦ (ମହିଳା ଓ ଶିଶୁ) ଅପହରଣକୁ ନେଇ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ କହିଥିଲେ ଯେ, ୧୦ ଦିନ ମଧ୍ୟରେ ଏହାର ତଦନ୍ତ କରି ରିପୋର୍ଟ ବାହାର କରାଯାଇଛି, ଯାହାକି ଫଳପ୍ରଦ ହୋଇଛି । ଅପହରଣ ହେବା ପରେ ପରିବାରବର୍ଗ ଥାନାରେ ଅଭିଯୋଗ କରିଛନ୍ତି, କିନ୍ତୁ ଅପହରଣର ଶିକାର ହୋଇଥିବା (ମହିଳା ଓ ଶିଶୁ) ଫେରିବା ପରେ ତାହା ଆଉ ପୋଲିସକୁ ପରିବାର ପକ୍ଷରୁ ଜଣାଯାଇନାହିଁ । ଓଡିଶାର ୨୦ଟି ବିପର୍ଯ୍ୟୟ ପରିଚାଳନା ପାଇଁ ଟିମ୍ ଥିଲା ବେଳେ ଆଉ ୧୦ଟି ନୂଆ ଓଡ୍ରାଫ୍ ଟିମ୍ ଗଠନ କରାଯାଇଛି ବୋଲି ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ସୂଚନା ଦେଇଥିଲେ । ସେହିପରି ସଡକ ନିରାପତ୍ତା ପାଇଁ ଆସନ୍ତା ଦୁଇ ମାସ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରେ ଟ୍ରାଫିକରେ ୫୦୦ ଟ୍ରାଫିକ ପୋଷ୍ଟ ସୃଷ୍ଟି କରାଯିବା ସହିତ ଜଣେ ଟ୍ରାଫିକ୍ ଅଧିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଥିଲେ । ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ସହିତ ଆଜିର ପଦକ ପ୍ରଦାନ ଉତ୍ସବରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଅମ୍ରିତ୍ ପାଲ କୌର, କେଉଁଝର ଆରକ୍ଷୀ ଅଧିକ୍ଷକ କୁଶଲକର ନିତିନ୍ ଦାଗୁଡୁ, ଏଏସପି କେଉଁଝର ଶୁଭ ସ୍ନିଗ୍ଧା ସେଠୀ ନ୍ୟାସନାଲ କ୍ୟାଡେଟ୍ କର୍ପସ କମାଣ୍ଡାଣ୍ଟ ପ୍ରମୁଖ ମଞ୍ଚାସୀନ ଥିଲାବେଳେ ରାଉରକେଲା ସରକାରୀ ମହାବିଦ୍ୟାଳୟ ଏବଂ ମ୍ୟୁନିସିପାଲ ମହାବିଦ୍ୟାଳୟର ଏନସିସି ବାହିନୀର ଛାତ୍ରଛାତ୍ରୀ ଫଟୋ ଉତ୍ତୋଳନ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଏହାପରେ ବିଗତ ଦିନର ପୋଲିସ୍ ବାହିନୀର ଶହୀଦ ଜବାନମାନଙ୍କ ପରିବାରଙ୍କୁ ଓଡିଶା ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ସମ୍ମାନିତ କରିଥିଲେ । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ପ୍ରାକ୍ତନ ଡିଏସ୍‌ପି ଡ଼ଃ ସୁମନ ଦତ୍ତ ଓ ଅନ୍ୟାନ୍ୟ ଅଧିକାରୀ ଗଣ, ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା, ବିଭିନ୍ନ ଅନୁଷ୍ଠାନ ତରଫରୁ ମୁଖ୍ୟଅତିଥି ଶ୍ରୀ ଖୁରାନିଆଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.