jayashree

ଜଳବାୟୁ ପରିବର୍ତ୍ତନ କନକ୍ଲେଭ -୨୦୨୬ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ସଦର ମହକୁମା ସ୍ଥିତ ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଉପରେ ଏକ କନକ୍ଲେଭ ଅନୁଷ୍ଠିତ ହୋଇଯାଇଛି । ଏହି କନକ୍ଲେଭରେ ବିଭିନ୍ନ ବୌଦ୍ଧିକ ମଣ୍ଡଳରୁ ଅନେକ ବୁଦ୍ଧିଜୀବୀ, ଗବେଷକ, ପରିବେଶବିତ୍, ଲେଖକ, ଶିକ୍ଷାବିତ୍, ଲୋକ କଳାକାର ଓ ଅନେକ ବରିଷ୍ଠ ସାମ୍ବାଦିକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିନୋଟି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନେକ ବିଶିଷ୍ଟ ବ୍ୟକ୍ତିତ୍ଵ, ପ୍ରସିଦ୍ଧ ଜାତୀୟ ସ୍ତରର ପରିବେଶ ସାମ୍ବାଦିକ ତଥା ଡାଉନ ଟୁ ଆର୍ଥ ପତ୍ରିକାର ପରିଚାଳନା ସମ୍ପାଦକ ରିଚାର୍ଡ ମହାପାତ୍ର, ଓଡ଼ିଶାର ଜଳପୁରୁଷ ରଞ୍ଜନ ପଣ୍ଡା, ପ୍ରତିଷ୍ଠିତ ସମ୍ବଲପୁର ଆଇଆଇଏମର ଅଧ୍ୟାପକ ସୁଜିତ୍ ପୃଷେଠ ଏବଂ ବିଶିଷ୍ଟ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଆଲୋଚକ ଭାବେ ଯୋଗ ଦେଇଥିଲେ । ମହାନଦୀ ଧାରା ପୂର୍ଣ୍ଣାଙ୍ଗ ଆବାସିକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ପ୍ଲାବନ ମହାପାତ୍ର ଆଲୋଚନା ଚକ୍ରର ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଏହି କନକ୍ଲେଭରେ ମୁଖ୍ୟ ଅତିଥି ତଥା ମୁଖ ବିଷୟବସ୍ତୁ ବକ୍ତା ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ୍ ସାହୁ ଯୋଗ ଦେଇ ତାଙ୍କର ବକ୍ତବ୍ୟରେ ସେ ଜଳବାୟୁ ପରିବର୍ତ୍ତନର ସାଙ୍ଘାତିକତା ଦର୍ଶେଇ ଅନେକ ପରିସଂଖ୍ୟାନ ତଥ୍ୟ ଦେଇ ପରିବେଶ ସୁରକ୍ଷା ତଥା ଧରଣୀୟ ବିକାଶ ଦିଗରେ ସଂଗଠିତ କାର୍ଯ୍ୟର ଆହ୍ୱାନ ଦେଇଥିଲେ । ରିଚାର୍ଡ ମହାପାତ୍ର ତାଙ୍କର ଭାଷଣରେ ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ଵ ସ୍ତରୀୟ ଦୃଷ୍ଟିକୋଣ ଏବଂ ମହାନଦୀର ପ୍ରଦୂଷଣ ତଥା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଦ୍ଵିତୀୟ ଆଲୋଚନା ଚକ୍ର “ଜଳବାୟୁ ପରିବର୍ତ୍ତନ ଏବଂ ମାନବର ଭବିଷ୍ୟତ”ରେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର୍ ଅତିଥି ଆଲୋଚକ ତଥା ପରିବେଶବିତ୍ ରଞ୍ଜନ ପଣ୍ଡାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ କରିଥିଲେ, ରଞ୍ଜନ ପଣ୍ଡା ଜଳବାୟୁ ପରିବର୍ତ୍ତନରେ ସଂସ୍କାର ପାଇଁ ଅନ୍ଧ ଭାବରେ ବୃକ୍ଷରୋପଣ ନ କରି ଜୈବ ବିବିଧତାକୁ ବଜାୟ ରଖିବାକୁ ତର୍କ ଦେଇଥିଲେ । ଏଥି ସହିତ ସେ ପ୍ରକୃତିରୁ ସଂସ୍କୃତିର ଲୋକମାନସରେ ବିଚ୍ଛିନ୍ନତା ଏବଂ ମାନସିକ ସ୍ତରରେ ଯୁବ ସମାଜର ପ୍ରକୃତି ଠାରୁ ଦୂରତାକୁ ପରିବେଶ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ପ୍ରକାଶ କରିଥିଲେ । ତୃତୀୟ ଆଲୋଚନା ଚକ୍ର “ଯୁବାବର୍ଗ, ଶିକ୍ଷା ଏବଂ ଜଳବାୟୁ ଉତ୍ତରଦାୟିତ୍ୱ”ରେ ମହାନଦୀ ଧାରା ପ୍ରତିଷ୍ଠାତା, ଅତିଥି ଆଲୋଚକ ସୁଜିତ୍ ପୃଷେଠଙ୍କୁ ପରିବେଶ ସୁରକ୍ଷାରେ ଯୁବବର୍ଗର ଦାୟିତ୍ଵ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ପୃଷେଠ ଏହାରି ଉପରେ ଯୁବ ସମାଜର ସୃଜନଶୀଳତା ଏବଂ ଉଦ୍ଭାବନକୁ ଜୋର ଦେଇଥିଲେ । ଏଥି ସହିତ ସେ ଅର୍ଥନିତିକ ଅସମାନତା, ଲିଙ୍ଗଗତ ବୈଷମ୍ୟତା ଆଦିକୁ ଜଳବାୟୁ ଉତ୍ତରଦାୟିତ୍ୱରେ ପ୍ରତିବନ୍ଧକ ବୋଲି ଦର୍ଶାଇ ଥିଲେ । ଶେଷରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଏବଂ ଅନ୍ୟ ଦର୍ଶକ ଅତିଥି ବକ୍ତା ମାନଙ୍କୁ ପ୍ରଶ୍ନ ପଚାରିଥିଲେ । ସଭାର ପରିଚାଳନା ଶିକ୍ଷୟିତ୍ରୀ ପ୍ରିୟଙ୍କାରାଣୀ ନେଗୀ କରିଥିଲେ । ସର୍ବଶେଷରେ ଜଣାଶୁଣା ଲୋକ କଳାକାର ଦିଲ୍ଲୀପ ଦୀପ ଏବଂ ତାଙ୍କର ସାଥୀ କଳାକାର ଘୁଡକା ବାଦ୍ୟର ତାଳେ ତାଳେ ପରିବେଶ ସୁରକ୍ଷା ଉପରେ ସ୍ୱରଚିତ ଏକ ସଙ୍ଗୀତ ତଥା ନୃତ୍ୟ ପରିବେଷଣ କରିଥିଲେ ।

Leave A Reply

Your email address will not be published.