
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଆଇ ଲଭ ଟିଟିଲାଗଡ ପାର୍କ ସ୍ଥିତ ମହାରାଜ ସାଗର କଡ଼ରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିର ଓ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ସୋମବାର ସନ୍ଧ୍ୟାରେ ଗଣେଶ ମନ୍ଦିର ଆୟୋଜକ କମିଟି ପକ୍ଷରୁ ବହୁତ୍ ବଢିଆ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ହଜାର ହଜାର ମହିଳା କଳସ ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେଥିରେ ଟିଟିଲାଗଡ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ସାମିଲ ହୋଇଥିଲେ । ବିଧାୟକ ଶ୍ରୀ ଜୈନ ପତାକା ଧରି ଶ୍ରଦ୍ଧାଳୁଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିବା ବେଳେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ନିଜେ କଳସ ଧରି ଅନ୍ୟ ମହିଳାଙ୍କ ସହ ଚାଲି ଚାଲି ଯାଇଥିଲେ । ଦେଖିବାକୁ ଗଲେ ସୋମବାର ଦିନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ କଳସ ଶୋଭାଯାତ୍ରାରେ ବାହାରିଥିବା ମହିଳା ତଥା ଭକ୍ତଙ୍କ ଭିଡ଼ ଦେଖି ସହରବାସୀ ଚକିତ ହୋଇଯାଇଥିଲେ । ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସ୍ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ, ଥାନାଧିକାରୀ ମନୋଜ ମୁଣ୍ଡାଙ୍କ ସମେତ ବହୁତ୍ ପୋଲିସ କର୍ମୀ ନିୟୋଜିତ ହୋଇ ଶୃଙ୍ଖଳାର ସହିତ ଶୋଭାଯାତ୍ରା ସଂପନ୍ନ କରାଇଥିଲେ । ଏହି ଶୋଭାଯାତ୍ରାରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆଖପାଖ ଅଞ୍ଚଳର ବହୁ ଲୋକ ସାମିଲ ହୋଇଥିଲେ । ସେହିପରି ମଙ୍ଗଳବାର ସକାଳ ୯ଟାରୁ ନାମ ସଙ୍କୀର୍ତ୍ତନ ଆରମ୍ଭ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ସଙ୍କୀର୍ତ୍ତନ ମଣ୍ଡଳୀ ଆସି ପ୍ରଭୁଙ୍କ ନାମ ନେଉଛନ୍ତି । ସହର ସାରା ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ନବ ନିର୍ମିତ ମନ୍ଦିର ପରିସରକୁ ଅତି ସୁନ୍ଦର ସାଜସଜ୍ଜା ସହ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି ।