
ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ୍ୟ ଅଞ୍ଚଳର ଲୋକଙ୍କ ଯାତାୟତ ସୁବିଧାକୁ ସହଜ କରିବା ଲକ୍ଷ୍ୟରେ ସରକାର ପକ୍ଷରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ସେବା ଅନେକ ଅଞ୍ଚଳରେ ଲୋକପ୍ରିୟ ହୋଇଛି । ବିଶେଷକରି ମହିଳା ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଏହାରୁ ବହୁ ଲାଭାନ୍ୱିତ ହେଉଛନ୍ତି । କିନ୍ତୁ ପାଇକମାଳ ବ୍ଲକର ଭେଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳବାସୀ ଏହି ସୁବିଧାରୁ ବଞ୍ଚିତ ରହିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଞ୍ଚଳର ମାଝୀପାଲି, ଭେଙ୍ଗରାଜପୁର ଓ ଝେଙ୍ଗାନାଡିହି ଗ୍ରାମର ଲୋକମାନେ ଦୈନିକ ଜୀବନରେ ବିଭିନ୍ନ କାମ ପାଇଁ ପାଇକମାଳ, ପଦ୍ମପୁର ଓ ବରଗଡ଼ ଭଳି ସହରମାନଙ୍କୁ ଯାଇବାକୁ ପଡ଼ୁଛି । ତେବେ ସରକାରୀ ବସ ସେବା ନଥିବାରୁ ଏହି ଯାତାୟତ କଷ୍ଟସାଧ୍ୟ ହୋଇପଡ଼ିଛି । ବିଶେଷତଃ ମହିଳା ଓ ଛାତ୍ରଛାତ୍ରୀମାନେ ବେସରକାରୀ ଯାନରେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଥିବା ସହ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯଦି ମାଝୀପାଲିରୁ ଝେଙ୍ଗାନାଡିହି ପର୍ଯ୍ୟନ୍ତ ପ୍ରତିଦିନ ଲକ୍ଷ୍ମୀ ବସ ଚଳାଚଳ କରାଯାଏ, ତେବେ ଏହା ଅଞ୍ଚଳର ଲୋକଙ୍କ ପାଇଁ ବଡ଼ ସୁବିଧା ସୃଷ୍ଟି କରିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ସମୟରେ ଶିକ୍ଷା ସଂସ୍ଥାନକୁ ପହଞ୍ଚିପାରିବେ ଓ ମହିଳାମାନେ ସୁବିଧାଜନକ ଭାବେ ସରକାରୀ କାର୍ଯ୍ୟାଳୟ ଓ ବଜାରକୁ ଯାଇପାରିବେ । ଆଗକୁ ବୈଶାଖ ମେଳା ଆସୁଛି ଯଦି ବସ୍ ଚଳେ ଅଞ୍ଚଳରୁ ବହୁ ଲୋକ ମେଳା ଦେଖିପାରିବେ । ଏହି ପରିପ୍ରେକ୍ଷିରେ ଅଞ୍ଚଳବାସୀମାନେ ତତ୍କାଳ ଏହି ରୁଟ୍ରେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିବା ପାଇଁ ବ୍ଲକ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।