
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ତାଡେପଲ୍ଲୀ ସାହିରେ ଅବସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବା ଦେବୀଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ମନ୍ଦିର ଏକ ନିଆରା ତେଲୁଗୁ ସଂସ୍କୃତି ଧର୍ମ ପରମ୍ପରା ଭାବେ ପୂଜିତ ହେଉଛନ୍ତି । ପ୍ରତିବର୍ଷ ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ବାଲାଜୀ ସ୍ୱାମୀ ଅବା ଶ୍ରୀ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ, ପଦ୍ମାବତୀ ଦେବୀଙ୍କ ମଧ୍ୟରେ ଶୁଭ ବିବାହ କଲ୍ୟାଣ ଉତ୍ସବ ସୋମବାର ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଶ୍ରୀ ବାଲାଜୀ ସ୍ୱାମୀ ଦେବୀ ପଦ୍ମାବତୀ ଓ ମହାଲକ୍ଷ୍ମୀ ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ସକାଳୁ ସକାଳୁ ପଞ୍ଚାମୃତ ସ୍ନାନ, ଶୌଦ୍ଧ, ମାର୍ଜନା କରାଇ ନୂତନବସ୍ତ୍ର ପରିଧାନ କରାଯାଇ ମଙ୍ଗଳ ଆଳତୀ କର୍ପୂର ଲାଗି ହୋଇଥିଲା । ପରେ ନଗର ପରିଭ୍ରମଣ କରାଯାଇ ଶ୍ରୀ ଶ୍ରୀ ମା’ ରାମାୟଣାମ୍ମା ଠାକୁରାଣୀଙ୍କ ସୌଭାଗ୍ୟ କଲ୍ୟାଣ ମଣ୍ଡପରେ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଧିବଦ୍ଧ ଭାବେ ବିବାହ କଲ୍ୟାଣ ଉତ୍ସବ ସମାହିତ ହୋଇଯାଇଛି । ପରେ ସନ୍ଧ୍ୟାରେ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରର ସ୍ଵସ୍ଥାନରେ ଠାକୁର ସିଂହାସନ ଆରୋହଣ କରିଥିଲେ । ଏହି ଅବସରରେ ଅମୃତ ଭୋଜନ ତଥା ପ୍ରସାଦ ସେବନରେ ଭକ୍ତଜନ ଆପ୍ୟାୟିତ ହୋଇ ଭକ୍ତି ଭାବା ବେଗରେ ଅଗଣିତ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଇନଜୀବୀ ବି. ଶ୍ରୀନିବାସ ଏବଂ ତାଙ୍କ ଧର୍ମପତ୍ନୀ ବି. ଉଷାଦେବୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉଦ୍ୟକ୍ତା ଭାବେ ଯୋଗଦେଇ ସମସ୍ତ ବିଧିବିଧାନରେ ପୌରହିତ୍ୟ କରିଥିଲେ । ପ୍ରଖ୍ୟାତ ପୁରୋହିତ ରାଙ୍ଗାଭଟ୍ଟାଲୁ ଧନଞ୍ଜୟ ଆଚାର୍ଯ୍ୟଲୁଙ୍କ ଦ୍ଵାରା ବିଦ୍ଧିବଦ୍ଧ ଭାବେ ପୂଜାର୍ଚ୍ଚନା, ବିବାହ କଲ୍ୟାଣ ଉତ୍ସବ ଆଦି ସମାହିତ ହୋଇଛି । କର୍ତ୍ତା ଭାବେ ପୂତି ଲିଙ୍ଗରାଜ ରେଡ୍ଡୀ ଓ ତାଙ୍କ ପତ୍ନୀ କ୍ରିଷ୍ଣାଭେଣି, କେ. ରାମାରାଓ, କେ. ପଦ୍ମାଜା ପ୍ରମୁଖ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଛତ୍ରପୁର ତେଲୁଗୁ ସଂସ୍କୃତି ସମାଜର ଆନୁକୁଲ୍ୟରେ ଆୟୋଜିତ ଠାକୁରଙ୍କ ବିବାହ କଲ୍ୟାଣ ଉତ୍ସବରେ ଦାକ୍ଷିଣାତ୍ୟ ବିଜୟ ସାରସ୍ୱତ ବାଦ୍ୟଯନ୍ତ୍ର ବଜାଇ ଉକ୍ତ ଅଧ୍ୟାତ୍ମିକ କାର୍ଯ୍ୟକ୍ରମ ଖୁବ୍ ଉତ୍ସବ ମୁଖର ଭାବେ ମନାଇଛନ୍ତି ।