mahavir

୩ୟ ତମ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନ ଠାରେ ଏଆଇଟିୟୁସି ସହ ବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିୟନର ୩ୟ ତମ ଜିଲ୍ଲା ସମ୍ମିଳନୀ ସଂଯୋଜକ ପ୍ରବୀର କମ୍ପ ଓ ଜଗବନ୍ଧୁ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସଂଗଠନ ତଥା ରାଜ୍ୟ ଏଆଇଟିୟୁସିର ସାଧାରଣ ସମ୍ପାଦକ ବିଜୟ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ନମିତା ସାହୁ, ଏଆଇଟିୟୁସି ବଲାଙ୍ଗିର ଜିଲ୍ଲା ସଭାପତି ତିର୍ଥ ପଧାନ, ସଂଗୀତା ବେହେରା ଓ କଲ୍ୟାଣୀ ଭାଟି ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ରାଜ୍ୟରେ ବିଜେପି ଶାସିତ ଡବଲ ଇଂଜିନ ସରକାର କ୍ଷମତାସୀନ ହେଲା ଦିନ ଠାରୁ ଶ୍ରମିକ ଶ୍ରେଣୀର ଲୋକଙ୍କ ଉପରେ ଦୈନନ୍ଦିନ ଜୀବନରେ ଚଳିବା ପାଇଁ ଡବଲ ବୋଝ ପଡିଯାଇଛି । ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବଢିଚାଲିଥିବା ଜୀବନ ଜୀବିକା ର୍ଦୁିସହ ହୋଇଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ କାର୍ଡରେ ପୂର୍ବରୁ ଯେଉଁ ଆର୍ଥିକ ସୁବିଧା ସୁଯୋଗ ଗୁଡିକ ମିଳୁଥିଲା ଏବେ ତାହା ବନ୍ଦ କରିଦିଆଯାଇଛି ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ ଠିକ ସମୟରେ ଶ୍ରମିକମାନଙ୍କୁ ଶ୍ରମ କାର୍ଡ ମଧ୍ୟ ଦିଆଯାଉନାହିଁ । ଯେହେତୁ ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଅଟେ ତେଣୁ ଜିଲ୍ଲାର ଅଧିକାଂଶ ଲୋକ ଶ୍ରମିକ ଶ୍ରେଣୀର ଅନ୍ତର୍ଭୁକ୍ତ, ଅଧିକରୁ ଅଧିକ ଉଭୟ ମହିଳା ଓ ପୁରୁଷ ଶ୍ରମିକ ଚିହ୍ନଟ କରି ପଞ୍ଜିକୃତ କରିବାକୁ ଆହ୍ୱାନ ଦେଇଥିଲେ । ସଂଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରି ସଂଗଠିତ କରିବା ସଙ୍ଗେ ସଙ୍ଗେ ବ୍ଲକ, ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ସରକାରଙ୍କ ଠାରୁ ନିଜର ହକ୍‌ ଦାବି ହାସଲ କରିବା ପାଇଁ ଜୋରସୋର ଲଢେଇ କରିବାକୁ ପଡିବ ବୋଲି ମତ ଦେଇଥିଲେ । ଜ୍ୟୋସ୍ନା ଚନ୍ଦନ, ରୀନା ନାଏକ, ଡମ୍ବରୁ କାଲସାଏ, ଘାସିରାମ ସାହୁ, କଳାବତୀ ସାହୁ, ଧର୍ମରାଜ ପାତ୍ର, ପୁରୁଷୋତ୍ତମ କର୍ମୀ, ପିଙ୍କି ଧରୁଆ, ତପସ୍ୱିନୀ ନାଏକ, ହିମା ପଟେଲ, ହେମାଙ୍ଗିନୀ ଜୁଏଡ, ପଙ୍କଜିନୀ ଜୁଏଡ, ଶାନ୍ତି ସାହୁ, ଲଳିତ ରଣା ପ୍ରମୁଖ ବକ୍ତବ୍ୟ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଉଭୟ ମହିଳା ଓ ପୁରୁଷ ଶ୍ରମିକମାନେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ଦେଇଥିଲେ ଏବଂ ଶେଷରେ ପ୍ରବୀର କମ୍ପ ସମସ୍ତଙ୍କୁ ଧନ୍ୟବାଦ ଦେଇ ସମ୍ମିଳନୀକୁ ଉଦ୍‌ଯାପିତ କଲେ ।

Leave A Reply

Your email address will not be published.