ନୃସିଂହନାଥ ମନ୍ଦିର ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାନଙ୍କୁ ଛଟେଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ମନ୍ଦିରରେ କାର୍ଯ୍ୟରତ ୨୪ଜଣ ସଫେଇ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାନଙ୍କୁ ମଙ୍ଗଳବାର ଛଟେଇ କରାଯାଇ ଥିବା ଜଣାପଡିଛି । ପ୍ରକାଶ ଥାଉକି ୨୦୨୫ ଜୁନ ମାସରୁ ଦୁଇଜଣ ସୁପରଭାଇଜର ୨୦ ଜଣ ସିକ୍ୟୁରିଟି ଗାର୍ଡ ଓ ୩୦ଜଣ ସଫେଇ କର୍ମଚାରୀଙ୍କୁ କଟକର ପରିତୋଷ ଏଜେନ୍ସି ନାମକ ଏକ ସଂସ୍ଥା ନିଯୁକ୍ତି ଦେଇ ପ୍ରତିମାସ ୧୩, ୮୬୦/ଟଙ୍କା ଲେଖାଏଁ ଦରମା ପ୍ରଦାନ କରୁଥିଲା । କର୍ମଚାରୀ ମାନଙ୍କ ଠାରୁ ମାସକୁ ମାସ ଇପିଏଫ୍‌ ତଥା ଇଏସ୍‌ଆଇସି ସରକାରୀ ନିୟମ ଅନୁସାରେ ଟଙ୍କା ଦରମାରୁ କଟାଯାଇ ଜମା କରାଯାଉଥିଲା । ତେବେ ଏହି ଠିକା ସଂସ୍ଥାକୁ ବରଗଡ଼ ଜିଲ୍ଲ। ତରଫରୁ ଟଙ୍କା ପେମେଣ୍ଟ ହେଲା ନାହିଁ ଓ ସିକ୍ୟୁରିଟି ଗାର୍ଡ ୮ଜଣ ଓ ସଫେଇ କର୍ମଚାରୀ ୧୬ଜଣଙ୍କୁ ମୋଟ ୨୪ଜଣଙ୍କୁ ଏପ୍ରିଲ ୧ ତାରିଖରୁ ଛଟେଇ କରିଦିଆ ଯାଇଥିବା ଜଣାପଡିଛି । ତେବେ ସରକାରଙ୍କ ଏତେ ଟଙ୍କା ମାଳ ମାଳ ଯୋଜନା କରାଯାଇ ଖର୍ଚ୍ଚ ହେଉଛି ଅଥଚ ନୃସିଂହନାଥ ମନ୍ଦିର ଭଳି ଏକ ବିଖ୍ୟାତ ମନ୍ଦିରରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ଛଟେଇ କାହିଁକି କରାଗଲା ବୋଲି ପ୍ରଶ୍ନ କରୁଛନ୍ତି ବୁଦ୍ଧିଜୀବୀ ମାନେ । ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠୁଛି, ଏହି କର୍ମଚାରୀ ମାନଙ୍କୁ ନିଯୁକ୍ତି ଦେଲାବେଳେ ଜନୈକ ବ୍ୟକ୍ତି ସମସ୍ତ କର୍ମଚାରୀ ମାନଙ୍କ ଠାରୁ ଚାକିରୀ କରାଇ ଦେବିବୋଲି ଜଣ ପ୍ରତି କୋଡିଏରୁ ତିରିଶ ହଜାର ଲେଖାଏଁ ଟଙ୍କା ଲାଞ୍ଚ ନେଇ ଥିବା ଜଣାପଡିଛି । ଏହି ଟଙ୍କା କିଏ ନେଲା କାହାକୁ ଦେଲା କାହାର ଭାଗ କେତେ ଗୋଟିଏ ଉଚ୍ଚ ସ୍ତରୀୟ କମିଟି ଗଠନ କରି ଏହାର ତଦନ୍ତ ଦରକାର ବୋଲି ଲୋକେ କହୁଛନ୍ତି । ନୃସିଂହନାଥରେ ଏହି କର୍ମଚାରୀମାନେ କାମ କଲା ପରେ ନୃସିଂହନାଥ ମନ୍ଦିର ଏରିଆ ବହୁତ ସଫା ସୁତୁରା ରହୁଥିଲା ଓ ସିକ୍ୟୁରିଟି ଗାର୍ଡମାନେ ମଧ୍ୟ ସବୁବେଳେ ନିଜ କାମ କରି ଭକ୍ତ ମାନଙ୍କୁ ସାହାଯ୍ୟ କରୁଥିଲେ । ତେବେ ଏଥି ପ୍ରତି ବରଗଡ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.