ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍ ସର୍କଲ ଆୟୋଜିତ ୪୯ତମ ବସନ୍ତୋତ୍ସବର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନ ସକାଳ ୯ ଘଟିକାରୁ ଆରମ୍ଭ ହୋଇ ସଂଧ୍ୟା ୫.୩୦ ପର୍ଯ୍ୟନ୍ତ ଆନ୍ତର୍ବିଦ୍ୟାଳୟ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ଏକକ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଉଭୟ ବର୍ଗରେ ସାମୂହିକ ଶାସ୍ତ୍ରୀୟ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ଶାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଂଧ୍ୟ ଅଧିବେଶନକୁ ବରେଣ୍ୟ ଅତିଥି ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ଶିଳ୍ପପତି ବିପିନ ଗୁପ୍ତା, ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ପଶ୍ଚିମାଞ୍ଚଳ ଡି. ଆଇ. ଜି. ବ୍ରିଜେଶ କୁମାର ରାୟ, ଉପଦେଷ୍ଟା ବାଲଗୋପାଳ ମହାପାତ୍ର ଏବଂ ଡ. ସମର ମୁଦାଲି ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଦ୍ଘାଟନ କରିଥିବା ବେଳେ, ମ୍ୟୁଜିକ୍ ସର୍କଲର କଳାକାରମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଭୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବରେଣ୍ୟ ଅତିଥି ବୃନ୍ଦ ଅନୁଷ୍ଠାନର କଳା ଓ ସଂସ୍କୃତି ପ୍ରତି ୪୯ ବର୍ଷର ନିରବଚ୍ଛିନ୍ନ ଅବଦାନର ଭୂୟସୀ ପ୍ରଶଂସା କରିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପ୍ରଥମ ଅଧିବେଶନରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସାଂଧ୍ୟ ଅଧିବେଶନରେ ଅତିଥିମାନେ ପ୍ରମାଣପତ୍ର ଏବଂ ଫଳକ ସହ ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଇସ୍ପାତ ଶିକ୍ଷା ସଦନର ଛାତ୍ରୀ ସୁଶ୍ରୀ ପ୍ରିୟା ମିଶ୍ର ଏବଂ କନିଷ୍ଠ ବିଭାଗର ଚିନ୍ମୟ ବିଦ୍ୟାଳୟର ଛାତ୍ରୀ ପୁଷ୍ପାଞ୍ଜଳି ଜେନା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ଲିଖିତା ନୃତ୍ୟ ଗୃପର କଳାକାରମାନେ କଥକ ନୃତ୍ୟ ପରିବେଷଣ କରିଥିଲେ । ମ୍ୟୁଜିକ୍ ସର୍କଲର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ନାଟିକା ମଧୁ ବସନ୍ତ ଏବଂ ଉତ୍ତର ସାହି, ବାରିପଦାର ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାର ମାନଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ମ୍ୟୁଜିକ୍ ସର୍କଲର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ପ୍ରିଂ ଭେଲି ସ୍କୁଲର ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହାୟତା କରିଥିଲେ ।

Leave A Reply

Your email address will not be published.