
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ପୁରୁଣା-ଛତ୍ରପୁର ନିକଟରେ ଗତ ବୁଧବାର ବିଳମ୍ବିତ ରାତ୍ରିରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଜଣେ ଯୁବକ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣକୁ ଗିରଫ କରିବା ସହ ଗୋଟେ ସ୍କର୍ପିଓ ଗାଡି ସହ ଗୋଟେ ଖଣ୍ଡା ଓ ଠେଙ୍ଗା ଜବତ ହୋଇଛି । ଗିରଫ ଦୁଇ ଜଣେ ହେଲେ ଛତ୍ରପୁର ଥାନା ଅଧିନସ୍ଥ ଅଞ୍ଚଳର ତଥା ଛତ୍ରପୁର ବ୍ଲକ୍ ହୁମ୍ବର ଗ୍ରାମର ବିଭୂତି ଭୂଷଣ ସ୍ୱାଇଁ ଓ କୁମାର ବେଗପଲ୍ଲୀ ଗ୍ରାମର ସୁବତ୍ର ସ୍ୱାଇଁ ବୋଲି ଜଣାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ’ ବିଭୂତି ଭୂଷଣ ସ୍ୱାଇଁ ଛତ୍ରପୁର ଅଞ୍ଚଳର ଜଣେ ଅପରାଧିକ ମାମଲାରେ ଛନ୍ଦି ହୋଇ ମଧ୍ୟ ସେ ରାଜନେତା ଭଳି ଅଭିନୟ କରିବା ସମସ୍ତଙ୍କର ନଜରରେ ଅଛି ଏବଂ ସେ ଜଣେ ହାଇକୋର୍ଟ ଓକିଲ ଭାବେ ମଧ୍ୟ କାର୍ଯ୍ୟ କରୁଥିବା କୁହାଯାଏ । ପୂର୍ବେ ସେ ବିଜେଡ଼ିର ଜଣେ ଯୁବନେତା ଭାବେ ପରିଚିତ ହୋଇଆସିଥିଲେ, ଏବେ କିଛି ଦିନ ତଳେ ବିଭୂତି ସ୍ୱାଇଁ ଭାଜପାରେ ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ସଦସ୍ୟତା ଗ୍ରହଣ କରିଥିଲେ ବୋଲି ଜଣାଯାଏ । ଗତ କିଛି ଦିନ ତଳେ ହୁମ୍ବର ଗ୍ରାମରେ ଭାଜପା ପକ୍ଷରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବର ଆୟୋଜନ କରି ନିଜ ସହ ଅନେକ ବ୍ୟକ୍ତି ବିଶେଷ୍ୟଙ୍କୁ ମଧ୍ୟ ବିଜେପିରେ ସାମିଲ୍ କରାଇଥିଲେ । ଏନେଇ ଏହି ଅଞ୍ଚଳରେ ଚହଳ ପଡ଼ି ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପୋଲିସ ଗିରଫ ମାମଲା ଘଟଣାରେ ବିଭିନ୍ନ ସ୍ଥାନରେ ନାନା ଆଲୋଚନା ମଧ୍ୟ ସୃଷ୍ଚି ହୋଇଛି । ଏବେ ଉକ୍ତ ପୋଲିସ ଦ୍ୱାରା ଗିରଫ ମାମଲାରେ ସଂପୃକ୍ତ ଥିବା ମାରଣାତ୍ମକ ଆକ୍ରମଣ ଘଟଣାରେ ଅନ୍ୟମାନେ ଫେରାର ରହିଛନ୍ତି । ସୂଚନା ଥାଉକି ଉକ୍ତ ଦିନ ବିଳମ୍ବିତ ରାତ୍ରୀରେ ପୂର୍ବ-ଶତୃତାକୁ କେନ୍ଦ୍ରକରି ବିଭୂତି ନିଜ ସ୍କର୍ପିଓ ଗାଡି ନମ୍ବର ଓଡି.୦୨-ବିଜେଡ୍ ୫୫୫୫ ଗାଡିରେ କିଛି ଜଣକୁ ସାଥିରେ ଆଣି ପୁରୁଣା-ଛତ୍ରପୁର ନିକଟସ୍ଥ ତୁଳସୀ ନଗରର ସୁମିତ କୁମାର ମହାରଣାକୁ ଅଟକାଇ ତାଙ୍କ ଉପରକୁ ଅଚାନକ ଖଣ୍ଡା ଓ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଘଟଣା ଘଟାଇବା ପରେ ଆକ୍ରମଣକାରୀମାନେ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣାର ଖବର ପାଇ ଛତ୍ରପୁର ପୋଲିସ ସୁମିତକୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଚିକିତ୍ସା କରାଇଥିଲେ । ପରେ ସୁମିତ ତାଙ୍କ ଉପରେ କେଉଁମାନେ ଆକ୍ରମଣ କରିଛନ୍ତି, ସେମାନଙ୍କ ନାମରେ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ୧୦୬/୨୦୨୬ ମାମଲା ରୁଜୁ କରି ଦୁଇ ଜଣକୁ ଗିରଫ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନ୍ୟମାନେ ଫେରାର ଅଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସେମାନଙ୍କୁ ତୁରନ୍ତ ଗରିଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।