ଆସନ୍ତା ମାର୍ଚ୍ଚ ୨୨ରୁ ୨୬ ପର୍ଯ୍ୟନ୍ତ ତାଲପାଲିପଡା ରାମ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ମାର୍ଚ୍ଚ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ଦିନ ଧରି ବଲାଙ୍ଗିର ସହରର ତାଲପାଲିପଡା ଉତ୍ସବମୁଖର ହେବ । ତାଲପାଲିପଡାରେ ପୁନଃନିର୍ମିତ ଶ୍ରୀରାମ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ସେଥି ପାଇଁ ଆୟୋଜକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି । ମାର୍ଚ୍ଚ ୨୨ ତାରିଖ ରବିବାର ଦିନ କଳସ ଶୋଭାଯାତ୍ରା ତଥା ଅଧିବାସ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇ ୨୫ ତାରିଖରେ ବିଗ୍ରହ ପ୍ରତିଷ୍ଠା ଓ ୨୬ ତାରିଖରେ ସିଂହାସନ ଆରୋହଣ, ଗର୍ଭଗୃହରେ ଷଡୋଶ ଉପଚାର ପୂଜା ସହିତ ପୂର୍ଣ୍ଣାହତି କରାଯିବ । ପ୍ରତ୍ୟେକ ଦିନ ହୋମଯଜ୍ଞ ସହିତ ନାମସଂକିର୍ତ୍ତନ୍ୟ କରାଯିବ । ଶେଷଦିନରେ ଛତିଶଗଡ ଝାରବନ୍ଧ ଓ ଧାନବସାର ବୈଠକୀ କିର୍ତ୍ତନ ମୁଖ୍ୟ ଆକର୍ଷଣ ରହିଛି । ତାଲପାଲିପଡାର ବିଶିଷ୍ଟବ୍ୟକ୍ତିଙ୍କୁ ନେଇ ଆୟୋଜକ କମିଟି ଗଠନ କରାଯାଇଛି । ପଡାର ସମସ୍ତେ ସହଯୋଗର ହାତ ବଢାଉଛନ୍ତି । ପଡାର ସମସ୍ତବର୍ଗର ଲୋକ ଏଥିରେ ସାମିଲ ହୋଇଛନ୍ତି । ରାଜନୈତିକ ଭେଦଭାବ ଦୂରରେ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯୁବଗୋଷ୍ଠୀ ବାହାରିଛନ୍ତି । ଗତ ୨ବର୍ଷ ତଳେ ମନ୍ଦିରର ମୁଣ୍ଡି ମରାଯାଇଥିଲା । ସେତେବେଳେ ମଧ୍ୟ ଏକ ବଡ କାର୍ଯ୍ୟକ୍ରମ କରାଯାଇଥିଲା । ଏବେ ମନ୍ଦିରର ବିଗ୍ରହ ପ୍ରତିଷ୍ଠା ଉତ୍ସବକୁ ସମସ୍ତେ ଧୁମଧାମରେ ମନାଇବାକୁ ଆଗେଇ ଆସିଛନ୍ତି । ମନ୍ଦିରର ପୁନଃନିର୍ମାଣରେ ପଡାବାସୀଙ୍କ ସହଯୋଗ ସହିତ ବିଭିନ୍ନ ରାଜନେତାଙ୍କର ସହାୟତା ମଧ୍ୟ ରହିଛି । ପ୍ରକାଶ ଯେ, ଦୀର୍ଘବର୍ଷ ପୂର୍ବରୁ ତାଲପାଲିପଡାରେ ରାମଲୀଳା ନାଟକ ଅନୁଷ୍ଠିତ ହୋଇଆସୁଥିଲା । ଗଉଁନ୍ତିଆ ଦୁର୍ଗାପ୍ରସାଦ ସାଏଙ୍କ ଉଦ୍ୟମରେ ତଥା ତାଙ୍କର ଜମିଦାନରେ ଏଠାରେ ଏକ ଶ୍ରୀରାମ ମନ୍ଦିର ଗଢିଉଠିଥିଲା । ତେବେ ମନ୍ଦିରର ପୁନଃନିର୍ମାଣର ଆବଶ୍ୟକତା ପଡିବାରୁ ପଡାବାସୀଙ୍କ ମିଳିତ ଉଦ୍ୟମରେ ସରକାରୀ ଅନୁଦାନ ମନ୍ଦିରର ପୁନଃନିର୍ମାଣ କରାଯାଇଛି ।

Leave A Reply

Your email address will not be published.