ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକର କଲୋନୀ ସାହି ନିକଟରେ ବାଘର ଗର୍ଜନ ଶୁଣିବା ସହିତ ସକାଳେ ପାଦ ଚିହ୍ନ ପଡ଼ିଥିବା ଲୋକେ ଦେଖିବାକୁ ପାଇଛନ୍ତି । ନିକଟରେ ଥିବା ନବଜ୍ୟୋତି ହଷ୍ଟେଲରେ ରହୁଥିବା ଛାତ୍ରମାନେ ମଧ୍ୟ ମଙ୍ଗଳବାର ରାତ୍ର ସମୟରେ ବାଘର ଗର୍ଜନ ଶବ୍ଦ ଶୁଣି ଭୟଭୀତ ହୋଇଥିବା ଜଣାପଡିଛି । ବାଘଟି ହଷ୍ଟେଲ ଆଡୁ ଆସି ପାଚେରୀ ଉପରେ ଲମ୍ଫ ଦେଇ ଭିତରକୁ ଯାଇଛି ବୋଲି ଛାତ୍ର ଏବଂ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ହଷ୍ଟେଲ ପଛପଟୁ ବାଘର ପାଦ ଚିହ୍ନ ସବୁ ରହିଛି । ଗ୍ରାମବାସୀ ଓ ଛାତ୍ର କହିବା ପ୍ରକାରେ ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ମାଙ୍କଡ଼ମାନେ ଚିଲେଇବା ଓ କୁକୁର ମଧ୍ୟ ବହୁ ପରିମାଣରେ ଭୋକିଛନ୍ତି । ବାଘର ଶବ୍ଦ ମଧ୍ୟ ଲୋକେ ଶୁଣିଥିବା କହିଛନ୍ତି । ଯାହା ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇଛନ୍ତି ଏବଂ ହଷ୍ଟେଲ ପାଚେରୀ ସେପଟେ ନାଳକୁ ଲୋକେ ଗାଧୋଇବା ପାଇଁ ଯିବାବେଳେ ବାଘର ପାଦ ଚିହ୍ନ ଦେଖି ଲୋକେ ବହୁତ ଭୟଭୀତ ହୋଇଯାଇଛନ୍ତି । କୋଟଗଡ ରେଞ୍ଜର ବାଳଗୋପାଳ ବେହେରାଙ୍କୁ ଲୋକେ ଖବର ଦେବା ପରେ ସଙ୍ଗେ ସଙ୍ଗେ ବନ ବିଭାଗର ଫରେଷ୍ଟର ଓ ତାଙ୍କର ସ୍ୱତନ୍ତ୍ର ଟିମକୁ ଡାକି ଘଟଣା ସ୍ଥଳରେ ପହଞ୍ଚି ବାଘର ଗତିବିଧି ଓ ପାଦ ଚିହ୍ନ ଦେଖି ସ୍ୱତନ୍ତ୍ର କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । କଲୋନୀ ସାହି, ହୋତା କଲୋନୀ, ଆମ୍ବେଦକର କଲୋନୀ, ନବଜ୍ୟୋତି ହଷ୍ଟେଲର ସମସ୍ତ ଲୋକଙ୍କୁ ସଚେତନତା କରିଥିଲେ ଯେ, ଏଣିକି ରାତ୍ର ସମୟରେ ଘରୁ ଏକା ହୋଇ ନ ବାହାରି ଗ୍ରୁପ ହୋଇ ବାହାରିବା ଏବଂ ସନ୍ଧ୍ୟା ସମୟରେ ବାହାରେ ବୁଲା ବୁଲି ପାଇଁ ବାରଣ କରାଯାଇଛି । ଆମେ କ୍ୟାମେରା ଲଗାଇଛୁ ବାଘର ଗତିବିଧି ଉପରେ ନଜର ରଖାଯାଉଛି । ପ୍ରକୃତରେ ଯେଉଁ ପଶୁ ଗର୍ଜନ କରୁଛି ତାହା ବାଘ ନା ଅନ୍ୟ କୌଣସି ପଶୁ ତାହା ଜଣାପଡିବ ଏବଂ ଯଦି ବାଘ ହୋଇଥାଏ ତା’ହେଲେ ଯଥା ଶୀଘ୍ର ବାଘକୁ ଧରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।