ବଲାଙ୍ଗିର ଜିଲ୍ଲାରେ ‘ନବ ଭାରତ ସାକ୍ଷରତା’ କାର୍ଯ୍ୟକ୍ରମ – ପରୀକ୍ଷା ଦେଲେ ୧୬ ହଜାରରୁ ଅଧିକ ନିରକ୍ଷର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସାକ୍ଷରତା ହାର ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରେ ରବିବାର ଦିନ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ “ଉଲ୍ଲାସ” ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାଙ୍କନ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା କୁମାରୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟରେ ଶୃଙ୍ଖଳିତ ଭାବେ ପରୀକ୍ଷା ଶେଷ ହୋଇଥିଲା । ଏଥିରେ ଜିଲ୍ଲାର ପ୍ରାୟ ୧୬ ହଜାର ୫୮୧ ଜଣ ନିରକ୍ଷର ପୁରୁଷ ଓ ମହିଳା ନିଜ ନିକଟସ୍ଥ ବିଦ୍ୟାଳୟକୁ ଯାଇ ବହୁ ଉତ୍ସାହର ସହ ପରୀକ୍ଷା ଦେଇଥିଲେ । ଜିଲ୍ଲା ଶିକ୍ଷା ବିଭାଗର ସୂଚନା ଅନୁଯାୟୀ,ଏହି ପରୀକ୍ଷାରେ ୧୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ବିଶେଷକରି ଗ୍ରାମାଞ୍ଚଳରେ ଶିକ୍ଷାରୁ ବଞ୍ଚିତ ହୋଇଥିବା ବୃଦ୍ଧବୃଦ୍ଧା ଓ ମହିଳାମାନେ ବହୁ ସଂଖ୍ୟାରେ ପରୀକ୍ଷା କେନ୍ଦ୍ରକୁ ଆସିବା ସାକ୍ଷରତା ଅଭିଯାନର ସଫଳତାକୁ ଦର୍ଶାଉଛି । ପରୀକ୍ଷା ଦେଇଥିବା ୧୬,୫୮୧ ଜଣଙ୍କ ମଧ୍ୟରୁ ଅଧିକାଂଶ ନିଜ ନାମ ଲେଖିବା ସହ ଓଡ଼ିଆ ଲେଖିବା ଓ ପଢ଼ିବା କୌଶଳର ପ୍ରଦର୍ଶନ କରିଥିଲେ । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଆନୁଷ୍ଠାନିକ ଭାବେ ‘ସାକ୍ଷର’ର ମାନ୍ୟତା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୂର୍ବରୁ ଜିଲ୍ଲା ଓ ବ୍ଲକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଶିକ୍ଷକମାନେ ଗାଁ ବୁଲି ନୀରକ୍ଷରମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ପାଠ ପଢ଼ାଇ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ । ଆଗାମୀ ଦିନରେ ଅବଶିଷ୍ଟ ନିରକ୍ଷରଙ୍କୁ ଚିହ୍ନଟ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.