କନ୍ଧମାଳର ଉପାନ୍ତ ଅଞ୍ଚଳରେ କେରଳ ମଡେଲରେ ପାଠପଢ଼ା : ଆବଶ୍ୟକ ଅନୁଯାୟୀ ନାହାନ୍ତି ଶିକ୍ଷକ, ଶିକ୍ଷୟିତ୍ରୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସୁନ୍ଦର ପରିବେଶ ବିଦ୍ୟାଳୟ ପରିସର । ଉପାନ୍ତ ଅଞ୍ଚଳରେ ସ୍ମାର୍ଟ କ୍ଲାସ୍ ରୁମ୍‌ରେ କେରଳ ମୋଡେଲ୍‌ରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ, ଶିକ୍ଷୟିତ୍ରୀ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ । ଏ କେଉଁ ସହରାଞ୍ଚଳର ଖବର ନୁହେଁ । ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ସୁଡ୍ରା ପଞ୍ଚାୟତର ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟର ଖବର । ବିଦ୍ୟାଳୟଟି ପାହାଡ଼ ପାଦ ଦେଶରେ ରହିଥିଲେ ମଧ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତୀର୍ଥବାସୀ ଘଡ଼ାଇଙ୍କ ନିଜସ୍ୱ ଉଦ୍ୟମରେ ବିଦ୍ୟାଳୟ ପରିବେଶକୁ ଅତି ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବିଦ୍ୟାଳୟର ଶୈକ୍ଷିକ ବାତାବରଣ ମଧ୍ୟ ଉଚ୍ଚକୋଟୀର । ଅନ୍ୟପଟେ କେରଳ ମଡେଲରେ ପାଠପଢ଼ା ଯାଉଥିବା ଏହି ବିଦ୍ୟାଳୟ ଜିଲ୍ଲାର ପ୍ରଥମ ବିଦ୍ୟାଳୟ ଅଟେ । ଫଳରେ ସମସ୍ତ ଛାତ୍ରଛାତ୍ରୀ ୟୁ. ସେଫ୍‌ରେ ବସି ବେସ୍ ଖୁସିରେ ପାଠ ପଢିପାରୁଛନ୍ତି । ଏହି ବିଦ୍ୟାଳୟରେ ଶିଶୁ ବାଟିକା ଠାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ସମୁଦାୟ ୧୭୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଛାତ୍ରୀ ନିବାସରେ ରହୁଛନ୍ତି ୧୪୦ ଜଣ ଛାତ୍ରଛାତ୍ରୀ । ମାତ୍ର ଦୁଇଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦ୍ୱାରା ବିଦ୍ୟାଳୟରେ ଚାଲିଛି ପାଠପଢ଼ା । ତଥାପି ପ୍ରଧାନ ଶିକ୍ଷକଙ୍କ ଶୈକ୍ଷିକ ପଦ୍ଧତି ଯୋଗୁଁ ପ୍ରତିବର୍ଷ ବିଦ୍ୟାଳୟର ଅନେକ ଛାତ୍ରୀ ବିଭିନ୍ନ ପରୀକ୍ଷା ଓ ପ୍ରତିଯୋଗିତାରେ ଭାଗନେଇ କୃତିତ୍ୱ ଅର୍ଜନ କରିଛନ୍ତି । କିନ୍ତୁ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅନୁଯାୟୀ ଆବଶ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ନଥିବାରୁ ପାଠ ପଢ଼ିବାରେ ସମସ୍ୟା ହେଉଥିବା ଅଭିଯୋଗ ହୋଇଛି । ଏଣୁ ଆବଶ୍ୟକ ଅନୁଯାୟୀ ଶିକ୍ଷକ, ଶିକ୍ଷୟିତ୍ରୀ ନିଯୁକ୍ତି ଦେଲେ ଏହି ବିଦ୍ୟାଳୟ ଆହୁରି ଉନ୍ନତି କରିବ ବୋଲି କହିଛନ୍ତି ଅନ୍ତେବାସୀ ଓ ପ୍ରଧାନ ଶିକ୍ଷକ । ତେବେ ପ୍ରଶାସନର ଏହି ବିଦ୍ୟାଳୟ ପ୍ରତି କେବେ ଦୃଷ୍ଟି ପଡୁଛି ତାହାକୁ ଅପେକ୍ଷା ।

Leave A Reply

Your email address will not be published.