- “ଭତରା ଆଦିବାସୀଙ୍କ କଳା ସଂସ୍କୃତି ପୁସ୍ତକ ଦାନ”
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଡେଲାଙ୍ଗ ଷ୍ଟେସନ ବଜାରରେ ଥିବା ଶ୍ୟାମ ସୁନ୍ଦର ପାଠାଗାର ଓ ସଂଗ୍ରହାଳୟ ପରିସରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ସପ୍ତାହ ତା. ୧୪/୦୩/୨୦୨୬ ରିଖରେ ପାଳନ ହୋଇଯାଇଛି । ସେବାନିବୃତ ପ୍ରଧାନ ଶିକ୍ଷକ କବି ତଥା ଗୀତିକାର ଦିଗାମ୍ବର ରଥଙ୍କ ସଭାପତିତ୍ୱରେ ଅତିଥି ଭାବେ ପ୍ରକୃତିବନ୍ଧୁ କବି ତଥା ସହକାରୀ ପବ୍ଲିକ ପ୍ରୋସେକ୍ୟୁଟର ଆଇନଜୀବୀ ହୃଷୀକେଶ ପାଢ଼ୀ ଓ ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ସେଠୀ ଯୋଗଦେଇଥିଲେ । ପାଠାଗାରର ପ୍ରତିଷ୍ଠାତା ତଥା “ଦ୍ୱାରିକା ଦର୍ଶନ” ପୁସ୍ତକର ସ୍ରଷ୍ଟା କାଶୀନାଥ ମହାପାତ୍ର କବି ଓ କବୟିତ୍ରୀଙ୍କୁ ସ୍ୱାଗତ କରିବା ସହ ଉତ୍ସବ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ “ମୁଁ ଓଡ଼ିଆ ଓ ମୋ ଭାଷା ଓଡିଆ” ଶୀର୍ଷକ ଆଲୋଚନା ଚକ୍ର ସହ କବୟିତ୍ରୀ ଜ୍ୟୋତ୍ସ୍ନାମୟୀ ସ୍ୱାଇଁଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପୁରୀ-ନିମାପଡ଼ା ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ କିଶୋର ଛୋଟରାୟ, ବରିଷ୍ଠ କବୟିତ୍ରୀ ସ୍ୱର୍ଣ୍ଣମୟୀ ନନ୍ଦ, ଗାନ୍ଧୀ ତତ୍ତ୍ୱ ପ୍ରଚାରକ ଅନାମ ମଲ୍ଲିକ, ସାହିତ୍ୟିକ, ସାମ୍ବାଦିକ ତଥା ଗବେଷକ ଲକ୍ଷ୍ମୀ ନାରାୟଣ ପାଠୀ, କବି ଚନ୍ଦ୍ରଶେଖର, କବି ରୋହିତ କୁମାର ଚମ୍ପତ୍ତି, କବି ହରିହର ବଳବନ୍ତରାୟ, ବରିଷ୍ଠ ନାଗରିକ ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ, ପାଲାଗାୟକ କବି ସରୋଜ କୁମାର ପ୍ରଧାନ, କବୟିତ୍ରୀ ପାର୍ବତୀ ମହାପାତ୍ର, କବି ସୁରେଶ କୁମାର ମନ୍ତ୍ରୀ, ଗଦାଧର ମିଶ୍ର, କବି ଜିତେନ୍ଦ୍ର ପ୍ରଧାନ, ଶ୍ରୀ ନନ୍ଦିଘୋଷ ରଥର ଡାହୁକ ତଥା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କ୍ଷେତ୍ରବାସୀ ଆଳୁକ ପ୍ରମୁଖ ୩୦ରୁ ଉର୍ଦ୍ଧ୍ୱ କବି ଓ କବୟିତ୍ରୀ ଯୋଗଦେଇ ସାରଗର୍ଭକ ଆଲୋଚନା କରିବା ସହ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ବର୍ଷିୟାନ ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ରଚିତ ପୁସ୍ତକ “ଭତରା ଆଦିବାସୀଙ୍କ କଳା ସଂସ୍କୃତି” ଶ୍ୟାମ ସୁନ୍ଦର ପାଠାଗାରକୁ ଦାନ କରିଥିଲେ ହୃଷୀକେଶ ପାଢ଼ୀ ।