ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ପୂର୍ବତନ ସହକାରୀ ବିଜ୍ଞାନ ଶିକ୍ଷକ ତଥା ବିଶିଷ୍ଠ ବ୍ୟବସାୟୀ ରାମକୃଷ୍ଣ ଦାସଙ୍କ ୮୭ ବର୍ଷରେ ଭୁବନେଶ୍ଵର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୂ, ଝିଅ ଜ୍ୱାଇଁ, ନାତିନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ୱର୍ଗତ ଦାସଙ୍କ ଅମର ଆତ୍ମାକୁ ସମ୍ମାନ ଜଣାଇ ସ୍ଥାନୀୟ ବଣିକ ସଂଘ ତରଫରୁ ରବିବାର ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ସ୍ୱର୍ଗତ ଦାସ ସହକାରୀ ବିଜ୍ଞାନ ଶିକ୍ଷକ ଚାକିରୀ ପରେ ସେଠାରୁ ଅବସର ନେଇ ବ୍ୟବସାୟ ଆରମ୍ଭ କରିଥିଲେ । ପରେ ପରେ ମା’ ପଟଖଣ୍ଡା ଦୁର୍ଗାପୁଜା ସମିତିର ସଭାପତି, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି, ବାଲିଗୁଡା ବଣିକ ସଂଘର ସଭାପତି ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି ଦାୟିତ୍ୱ ତୁଲାଇବା ସହ ଉପଖଣ୍ଡ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତିର ସଦସ୍ୟ ମଧ୍ୟ ରହି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ସେ ଏକାଧାରରେ ଧର୍ମପାରାୟଣ, ପରୋପକାରୀ, ମେଳାପୀ, ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଥିଲେ ।