ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚେନ୍ନାଇ ସ୍ଥିତ ସତ୍ୟଭାମା ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସସ ଅନୁଷ୍ଠାନ ପକ୍ଷରୁ ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ଜାତୀୟ ସ୍ତରୀୟ ଯୁବ-ଉତ୍ସବ ସାହିତ୍ୟ ଓ ସାଂସ୍କୁତିକ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଲୋକନୃତ୍ୟ ଦଳ ପୂର୍ବାଞ୍ଚଳ ଜୋନକୁ ପ୍ରତିନିଧିତ୍ୱ କରି ଜାତୀୟ ସ୍ତରର ମଞ୍ଚରେ ନିଜ କଳା ପ୍ରତିଭା ମାଧ୍ୟମରେ ଆଦିବାସୀ ଲୋକନୃତ୍ୟକୁ ପ୍ରଦର୍ଶନ କରିଥିଲେ । ଏପରିକି କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚକୁ ସାଂସ୍କୃତିକ ଶୋଭାଯାତ୍ରାରେ ପ୍ରଦର୍ଶିତ କରିଥିଲେ । ସୂଚନାଯୋଗ୍ୟ ଯେ, ଜାତୀୟ ସ୍ତରର ପ୍ରତିଯୋଗିତାରେ ଦୁଇ ଦୁଇଟା ପୁରସ୍କାର ପ୍ରାପ୍ତ କରିଛନ୍ତି, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଶୋଭାଯାତ୍ରାରେ ଉପ-ବିଜେତା ଏବଂ ଲୋକ ନୃତ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି । ଟିମ୍ ମ୍ୟାନେଜର ଭାବରେ ହିମାଂଶୁ ଚରଣ ସାହୁ ଏବଂ ସାଂସ୍କୁତିକ ସଂଯୋଜକ ଡ଼ଃ. ସରିତା ଦାଶ ଏହି କାର୍ଯ୍ୟକ୍ରମରେ ନେତୃତ୍ତ୍ୱ ନେଇଥିଲେ । ଛାତ୍ରଛାତ୍ରୀମାନେ ଏହି ବିଜୟର ଶ୍ରେୟ ସେମାନେ ନୃତ୍ୟଗୁରୁ ଆନନ୍ଦେଶ୍ୱରଙ୍କୁ ଦେଇ ସାଧୁବାଦ ଜଣାଇଛନ୍ତି । ତତ୍ ସହିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ଗଣେଶ ସେଠୀ, ସାଂସ୍କୃତିକ ସଂଯୋଜିକା ଡ଼ଃ. ସରିତା ଦାଶ, ଯୁଗ୍ମ-କୁଳସଚିବ ଡ଼ଃ. ବାବୁଜୀ ସାମଲ ଏବଂ ସହ-କୁଳସଚିବ ଡ଼ଃ. ସରୋଜ କୁମାର ଦାଶ ପ୍ରମୁଖ ଏହି ଅବସରରେ ପୁରସ୍କୃତ ଛାତ୍ର ଛାତ୍ରୀମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।