ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆରେ ସଂଘର୍ଷ ସ୍ଥିତି କାରଣରୁ ବିଶ୍ୱରେ ଇନ୍ଧନ ମୂଲ୍ୟ ଆକାଶ ଛୁଆଁ ହୋଇଛି । ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ୍ ପିଛା ୧୨୦ ଡଲାରରେ ପହଞ୍ଚିଛି । ତେବେ ହୋର୍ମୁଜ୍ ପ୍ରଣାଳୀ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଯୁଦ୍ଧ କାରଣରୁ ଇନ୍ଧନ ପରିବହନ ଲାଗି ଉଦ୍ଦିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣ ମାର୍ଗ ଦେଇ ବିଶ୍ୱର ମାତ୍ର ଏକ ପଞ୍ଚମାଂଶ ଅଶୋଧିତ ତୈଳ ଆସିପାରୁଛି । ହୋର୍ମୁଜ୍ ପ୍ରଣାଳୀ ଭାରତର ଇନ୍ଧନ ଆମଦାନୀ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ବି ବର୍ତ୍ତମାନ ଦେଶରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ଗତ ୧୧ ବର୍ଷ ମଧ୍ୟରେ ଭାରତ ସକ୍ରିୟ ଭାବେ ନିଜର ଇନ୍ଧନ ଆମଦାନୀ ଉତ୍ସକୁ ବିବିଧ କରିବା ସହିତ ଘରୋଇ ଅକ୍ଷୟ ଶକ୍ତି କ୍ଷମତାକୁ ବ୍ୟାପକ ପ୍ରୋତ୍ସାହନ ଦେବା ଫଳରେ ସାମ୍ପ୍ରତିକ ସଂକଟ ମୁକାବିଲାରେ ସକ୍ଷମ ହୋଇପାରିଛି । ଏକଦଶନ୍ଧି ପୂର୍ବରୁ ଏପରି ସଂକଟ ଉପୁଜିଥିଲେ ସ୍ଥିତି ଭିନ୍ନ ହୋଇଥା’ନ୍ତା । କାରଣ ସେତେବେଳେ ଏହି ସଂକଟଗ୍ରସ୍ତ ମାର୍ଗକୁ ବାଦ୍ ଦେଲେ ଇନ୍ଧନ ଆମଦାନୀର ଅନ୍ୟ କୌଣସି ମାର୍ଗ ପ୍ରାୟ ନଥିଲା । ସୁତରାଂ, ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଆକାଶ ଛୁଆଁ ବୃଦ୍ଧି ପାଇଥା’ନ୍ତା । ହେଲେ ବର୍ତ୍ତମାନ ଅନ୍ୟ ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି । ଜାପାନ ଏବେ ଉଚ୍ଚ ଋଣ କାରଣରୁ ଚାପଗ୍ରସ୍ତ ରହିଛି । ଗ୍ୟାସ ଉପରେ ଅତ୍ୟଧିକ ନିର୍ଭରଶୀଳ ବ୍ରିଟେନରେ ଦରଦାମ ବୃଦ୍ଧି ପାଇଛି । ଇଜିପ୍ଟ ଓ ତୁର୍କୀ ମଧ୍ୟ ଦରବୃଦ୍ଧି ସମସ୍ୟାରେ ପଡ଼ିଛନ୍ତି । ସିଙ୍ଗାପୁରରେ ବିଦ୍ୟୁତ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ଘଟିଛି । ଦକ୍ଷିଣକୋରିଆ ତିନି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଆର୍ଥିକ ସ୍ଥିରତା ବଜାୟ ରଖିବା ଲାଗି ଇନ୍ଧନ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗତ ଏକଦଶନ୍ଧି ମଧ୍ୟରେ ଇନ୍ଧନ ଉତ୍ସକୁ ବିବିଧ କରିବା ସହିତ ଘରୋଇ କ୍ଷମତାକୁ ବଢ଼ାଇବା ଲାଗି ନିରନ୍ତର ପ୍ରୟାସ କରିଆସୁଛନ୍ତି । ବହୁ ପକ୍ଷୀୟ କୂଟନୀତି ମାଧ୍ୟମରେ ଭାରତ ନିଜର ଅଶୋଧିତ ତୈଳ ଆମଦାନୀ ଉତ୍ସର ନେଟୱାର୍କକୁ ୨୭ଟି ଦେଶରୁ ବଢ଼ାଇ ୪୦ରେ ପହଞ୍ଚାଇଛି । ଫଳରେ ଗୋଟିଏ କ୍ଷେତ୍ର ଉପରେ ନିର୍ଭରଶୀଳତା ହ୍ରାସ ପାଇଛି । ଏହା ଦ୍ୱାରା ଭାରତ ଭଲ ସ୍ଥିତିରେ ରହିଛି । ଏହା ବ୍ୟତୀତ ଭାରତ ନିଜର ଘରୋଇ ଶକ୍ତି କ୍ଷମତାକୁ ମଧ୍ୟ ବଢ଼ାଇଛି । ଗତ ୧୧ ବର୍ଷ ମଧ୍ୟରେ ଦେଶର ମୋଟ୍ ବିଦ୍ୟୁତ କ୍ଷମତା ଦୁଇଗୁଣରୁ ଅଧିକ ବୃଦ୍ଧି ପାଇ ୫୨୦ ଗିଗାୱାଟରେ ପହଞ୍ଚିଛି । ଅଣଜୀବାଶ୍ମ ଉତ୍ସରୁ ବିଦ୍ୟୁତ ଉତ୍ପାଦନ ମଧ୍ୟ ବଢ଼ିଛି । ପିଏମ୍ ସୂର୍ଯ୍ୟଘର ମୁଫତ୍ ବିଜଲି ଯୋଜନାରେ ଏକକୋଟି ପରିବାରକୁ ଛାତ ଉପରେ ସୌର ଶକ୍ତି ପ୍ୟାନେଲ୍ ସ୍ଥାପନ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ଏହା ଲୋକଙ୍କ ବିଦ୍ୟୁତବିଲ୍ ସଞ୍ଚୟ କରିବା ସହିତ ଆର୍ଥିକ ଏବଂ ପରିବେଶଗତ ଲାଭ ମଧ୍ୟ ପହଞ୍ଚାଉଛି । ଏହି ଯୋଜନା ସରକାରଙ୍କର ବାର୍ଷିକ ପ୍ରାୟ ୭୫ ହଜାର କୋଟି ଟଙ୍କା ସଞ୍ଚୟ କରିବ ବୋଲି ଆଶା କରାଯାଉଛି । ସୌର ଶକ୍ତିର ସମ୍ପ୍ରସାରଣ ଏତେ ବିକେନ୍ଦ୍ରିକୃତ ହୋଇ ନଥିଲେ ଅଣଜୀବାଶ୍ମ ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳତା ଦେଶକୁ ବିଶ୍ୱ ଇନ୍ଧନ ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥା’ନ୍ତା । ସୌର ଶକ୍ତି ମାଧ୍ୟମରେ ବିଦ୍ୟୁତ ମିଳୁଥିବାରୁ ପରିବାରଗୁଡ଼ିକ ଏବେ ରୋଷେଇ ପାଇଁ ଏଲପିଜି ଗ୍ୟାସ ପରିବର୍ତ୍ତେ ବିଦ୍ୟୁତ ସରଞ୍ଜାମ ଉପଯୋଗ କରିପାରୁଛନ୍ତି । ବିଦ୍ୟୁତ ଚାଳିତ ଗାଡ଼ି ସଂଖ୍ୟା ବଢ଼ିବା ଫଳରେ ପରିବହନ କ୍ଷେତ୍ରରେ ପେଟ୍ରୋଲ ଓ ଡିଜେଲ୍ ଉପରେ ନିର୍ଭରଶୀଳତା ହ୍ରାସପାଇଛି । ୨୦୧୪ରେ ଦେଶରେ ମାତ୍ର ୨୬ ଶହ ବିଦ୍ୟୁତ ଚାଳିତ ଯାନ ଥିଲା । ୨୦୨୫ରେ ଇଭି ବିକ୍ରି ୧୬.୭୧ ଲକ୍ଷକୁ ବୃଦ୍ଧି ପାଇଛି । ଏହି ପରିବର୍ତ୍ତନ ପାଇଁ ସରକାରଙ୍କ ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ୨୦୧୫ରେ ଫେମ୍-୧ ଯୋଜନା ୨.୭୮ ଲକ୍ଷ ଇଭି କ୍ରୟକୁ ସମର୍ଥନ କରିଛି ଯାହା ପ୍ରାୟ ୫ କୋଟି ଲିଟର ଇନ୍ଧନ ସଞ୍ଚୟ କରିଛି । ସମୟ ଗଡ଼ିବା ସହିତ, ବୈଦ୍ୟୁତିକ ପରିବହନର ଗ୍ରହଣୀୟତା ବୃଦ୍ଧି ପାଇଲେ ଆମଦାନୀ ତୈଳ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ ପାଇବ ଯାହାଫଳରେ ଦେଶ ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ବିଶ୍ୱ ସଂକଟ ଭଳି ପରିସ୍ଥିତିରେ ସୁରକ୍ଷିତ ରହିପାରିବ । ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଭୂରାଜନୈତିକ ସଙ୍କଟ ସମୟରେ ଯୋଗାଣ ପ୍ରତିବନ୍ଧକର ସାମ୍ନା କରିବାକୁ ସକ୍ଷମ ହେବା ପାଇଁ ଏହାର ରଣନୀତିକ ପେଟ୍ରୋଲିୟମ୍ ରିଜର୍ଭ (ଏସପିଆର) କ୍ଷମତାକୁ ମଧ୍ୟ ସୁଦୃଢ଼ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀମୋଦୀଙ୍କ ନେତୃତ୍ୱରେ, ଭାରତ ବିଶାଖାପାଟଣା, ମାଙ୍ଗାଲୁରୁ ଏବଂ ପାଦୁରରେ ରଣନୀତିକ ରିଜର୍ଭ ସହିତ ଏହାର ଜରୁରୀକାଳୀନ ତୈଳ ସଂରକ୍ଷଣ ଭିତ୍ତିଭୂମିକୁ ବିସ୍ତାର କରିଛି । ଓଡ଼ିଶାର ଚଣ୍ଡିଖୋଲ ଏବଂ ପାଦୁର ପର୍ଯ୍ୟାୟ-୨ରେ ଅତିରିକ୍ତ ସୁବିଧା ଆରମ୍ଭ କରିଛି । ଫଳସ୍ୱରୂପ, ଆଜି ଭାରତରେ ଯଥେଷ୍ଟ ପରିମାଣରେ ତୈଳ ସଂରକ୍ଷିତ ରହିଛି । ବାଣିଜ୍ୟିକ ଇନଭେଣ୍ଟରୀ ସହିତ ରଣନୀତିକ ରିଜର୍ଭକୁ ମିଶାଇଲେ ପ୍ରାୟ ୭୪ ଦିନ ପାଇଁ ଦେଶରେତୈଳ ଗଚ୍ଛିତ ରହିଛି । କିନ୍ତୁ, ଏକ ଦଶନ୍ଧି ପୂର୍ବେ, ଭାରତର ଜରୁରୀକାଳୀନ ଅଶୋଧିତ ଭଣ୍ଡାର କେବଳ ୧୩ ଦିନର ଚାହିଦା ପୂରଣ କରିବା ଭଳି ସ୍ଥିତିରେ ଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଗତଏକଦଶନ୍ଧି ଧରି ଶକ୍ତି ବିବିଧତା ପାଇଁ ପ୍ରୟାସ କରୁଛି, ଯେଉଁଥିରେ ଆମଦାନୀ ଉତ୍ସ ଓ ମାର୍ଗଗୁଡ଼ିକର ବିବିଧତା, ଦୃଢ଼ ଦୀର୍ଘକାଳୀନ ବିଶ୍ୱ ସହଭାଗୀତା ନିର୍ମାଣ, ଘରୋଇ ଭିତ୍ତିଭୂମିରେ ବିପୁଳ ନିବେଶ ଏବଂ ଅକ୍ଷୟଶକ୍ତିସ୍ଥାନାନ୍ତରକୁ ତ୍ୱରାନ୍ୱିତ କରିବା ଅନ୍ତର୍ଭୁକ୍ତ।ଏବେ ଏହାର ମୂଲ୍ୟ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି । ହର୍ମୁଜ୍ ସଙ୍କଟ ସାରା ବିଶ୍ୱର ଦୁର୍ବଳତା ପ୍ରକାଶ କରୁଥିବା ବେଳେ ଭାରତର ପ୍ରସ୍ତୁତି ଅନ୍ୟ ରାଷ୍ଟ୍ର ତୁଳନାରେ ପ୍ରଭାବକୁ ଯଥେଷ୍ଟ କମ କରିଛି । ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପୂର୍ବାପେକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ବର୍ତ୍ତମାନର ପରିସ୍ଥିତରେ ଅଧିକ ସ୍ପଷ୍ଟ ହୋଇଛି । ଅନିଶ୍ଚିତ ବିଶ୍ୱରେ ଭବିଷ୍ୟବାଦୀ ଚିନ୍ତାଧାରା ଓ ରଣନୀତି ଭାରତ ପାଇଁ ଆର୍ଥିକ ଧକ୍କା ବିରୋଧରେ ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ପାଲଟିଛି ।