ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ କନ୍ଦେଇ ପଂଚାୟତ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି । ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି, କିନ୍ତୁ ପଂଚାୟତ ଦାୟିତ୍ଵରେଥିବା ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ ସବୁ ଜାଣିଶୁଣି ଅଜଣା ହେଉଛନ୍ତି । ସୂଚନା ଫଳକ ରହିଛି, ପ୍ରକଳ୍ପ ବିଷୟରେ ମଧ୍ୟ ଲେଖା ହୋଇଛି କିନ୍ତୁ ପ୍ରକଳ୍ପର ବାସ୍ତବରେ ଦେଖାମିଳୁନାହିଁ । ସୂଚନା ଫଳକରେ ଉଲ୍ଳେଖ ତଥ୍ୟ ଅନୁସାରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସି ଏମ୍ ଏସ୍ ଏ ଯୋଜନା ମଧ୍ୟରେ କନ୍ଦେଇ ଗାଁ ରେ ଥିବା ମା’ ସନ୍ତୋଷି ମନ୍ଦିର ପୁନଃରୁଦ୍ଧାର ଓ ପାନୀୟଜଳ ପ୍ରକଳ୍ପ ପାଇଁ ୪ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା କଥା ତୁରେକେଲା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି ଏବଂ କାମ ମଧ୍ୟ ସରିଛି, କିନ୍ତୁ ସେଠାରେ ପାନୀୟ ଜଳ ପ୍ରକଳ୍ପର ଦେଖାନାହିଁ । ସୂଚନା ଫଳରେ ପାନୀୟ ଜଳ ପ୍ରକଳ୍ପ ଲେଖା ହୋଇଥିବା ବେଳେ ବାସ୍ତବରେ ପାନୀୟ ଜଳ ବ୍ୟବସ୍ଥା ସେଠାରେ ହୋଇ ନାହିଁ । ଏହା ଫଳରେ କାର୍ଯ୍ୟ ଦାୟୀତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଓ ଠିକାଦାର ମିଶି ପାନୀୟ ଜଳ ପ୍ରକଳ୍ପ ବାବଦକୁ ଆସିଥିବା ସରକାରୀ ଟଙ୍କା ହଡ଼ପ କରିଛନ୍ତି ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ବ୍ୟବସ୍ଥା ନ ହୋଇ ସୂଚନା ଫଳରେ ଉଲ୍ଲେଖ କରି ସରକାରୀ ରଜ୍ୟକୋଷରୁ କିଭଳି ଅର୍ଥ ମଞ୍ଜୁର କରାଯାଇଛି ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।