ଦିଲ୍ଲୀ/ଭୁବନେଶ୍ୱର : ପାର୍ଲିଆମେଣ୍ଟର ଚଳିତ ଅଧିବେଶନରେ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଓଡିଶାର ଗ୍ରାମସଭାର ବିନା ଅନୁମୋଦନରେ ଗ୍ରାଫାଇଟ ମାଙ୍ଗାନିଜ ଖଣି ବ୍ଲକ ଲିଜ ଏବଂ ନିଲାମ ପ୍ରସଙ୍ଗ ଉଠାଇଥିଲେ । ସାଂସଦ ଶ୍ରୀ ବିଶି କହିଥିଲେ ଯେ, ଓଡିଶା ହେଉଛି ଭାରତର ତୃତୀୟ ଆଦିବାସୀ ବହୁଳ ରାଜ୍ୟ । ଆଦିବାସୀ ଜନସଂଖ୍ୟା ୧କୋଟି ଯାହା ମୋଟ ଜନସଂଖ୍ୟାର ୨୫ ପ୍ରତିଶତ । ଆଦିବାସୀ ରହୁଥିବା ଅଞ୍ଚଳରେ ଜମି, ଜଳ, ଜଙ୍ଗଲ ଓ ପରିବେଶ ସୁରକ୍ଷିତ । ପାହାଡ଼ ପର୍ବତ ଡ଼ଙ୍ଗର ଅଞ୍ଚଳରେ ଖଣିଜ ସମ୍ପଦ ମଧ୍ୟ ସୁରକ୍ଷିତ । ମୋଗଲ ଇଂରେଜ ମାନଙ୍କ ସହିତ ଲଢ଼େଇ କରି ଜଙ୍ଗଲ ଅଧିକାର ସୁରକ୍ଷା କରିଛନ୍ତି ଆଦିବାସୀ । ଅଥଚ ଓଡିଶାର ବଲାଙ୍ଗିର ଜିଲ୍ଲାରେ ୬ଟି ଗ୍ରାଫାଇଟ ମାଙ୍ଗାନିଜ ଖଣି ବ୍ଲକ ତଥା ସାଲେପାଲି ଗ୍ରାଫାଇଟ ବ୍ଲକ, ଲରମ୍ଭା ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, କନେଇଟାଲ ଗ୍ରାଫଇଟ ମାଙ୍ଗାନିଜ ବ୍ଲକ, ଭରତବାହାଲ ଗ୍ରାଫଇଟ ବ୍ଲକ, ବବଜା ଗ୍ରାଫଇଟ ମାଙ୍ଗାନିଜ ବ୍ଲକ ଏବଂ ବିଅରପାଲି ଗ୍ରାଫଇଟ ମାଙ୍ଗାନିଜ ବ୍ଲକ ୬ଟି କମ୍ପାନୀକୁ ଖଣି ବିଭାଗ ୨୦୨୩ -୨୦୨୬ ମଧ୍ୟରେ ଲିଜ ଦେଇଛନ୍ତି । ଏହାଦ୍ୱାରା ୧୦ ହଜାର ଏକର ପ୍ରାକୃତିକ ଜଙ୍ଗଲ ଧ୍ୱସ ହେବ । ଆଦିବାସୀମାନେ ଜୀବନ ଜୀବିକା ହରାଇବେ ବୋଲି ସାଂସଦ ଶ୍ରୀ ବିଶି ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ସାଂସଦ ଶ୍ରୀ ବିଶି ଆହୁରି ଉଦବେଗ ପ୍ରକାଶ କରିଛନ୍ତି ଯେ, ଉକ୍ତ ଲିଜ ଏବଂ ନିଲାମ ଆଗରୁ ଗ୍ରାମସଭା ପଲ୍ଲୀସଭାର ଅନୁମତି କିମ୍ବା ଅନୁମୋଦନ ନିଆ ଯାଇନାହିଁ । ଜନ ଶୁଣାଣି କରି ଗାଁ ଲୋକଙ୍କ ସମ୍ମତି ନିଆଯାଇନାହିଁ । ୧୦୦ରୁ ଅଧିକ ଗାଁ ଏହି ଖଣି ଖନନ ଦ୍ୱାରା ପ୍ରଭାବିତ ହେବ କିନ୍ତୁ ଗୋଟିଏ ବି ଗାଁରେ ଗ୍ରାମସଭା ହୋଇନାହିଁ ବୋଲି ସାଂସଦ ଶ୍ରୀ ବିଶି ପ୍ରଶ୍ନ ଉଠାଇଥିଲେ । ପେସା ଆଇନକୁ ଉଲଂଘନ କରାଯାଇଛି । ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ୨୦୦୬ ଅନୁସାରେ ଖଣି ଲିଜ, ଖଣି ନିଲାମ, ଜଙ୍ଗଲ ଜମି କିସମ ପରିବତ୍ର୍ତ୍ତନ ପୂର୍ବରୁ ଗ୍ରାମସଭାର ଅନୁମୋଦନ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଉକ୍ତ ନିୟମକୁ ଉଲଂଘନ କରି ଖଣି ଲିଜ ଦିଆଯାଇଛି । ଏହି ଗ୍ରାଫାଇଟ ମାଙ୍ଗାନିଜ ଖଣି ଦ୍ୱାରା ମହାଦାସିନୀ ଜଙ୍ଗଲ, ଅନ୍ଧାରୀ ଜଙ୍ଗଲ, ବରାପୁଟା ଡ଼ଙ୍ଗର, ତୁର୍ଲାମାଲ କାର୍ଲାମାଲ ଜଙ୍ଗଲ, ବୁଢ଼ା ଡ଼ଙ୍ଗର, ବସ୍ତ୍ରେନ ଡ଼ଙ୍ଗର, କାଳୀ ଡ଼ଙ୍ଗର, ଗନ୍ଧମାର୍ଦ୍ଦନ ପର୍ବତ ପ୍ରଭାବିତ ହେବ । ସେହିପରି କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ସିଜିମାଳି ପର୍ବତ, କୁଟ୍ରୁମାଳି, ବାଫିଲିମାଳି ପର୍ବତ, ମାଝୀମାଳି, ଖଣ୍ଡୁଆଳମାଳି ପର୍ବତ, କୋଡ଼ିଙ୍ଗମାଳି ପର୍ବତ ଧ୍ୱଂସ ହେବ ବୋଲି ସାଂସଦ ଶ୍ରୀ ବିଶି କ୍ଷୋଭ ପ୍ରକାଶ କରିଛନ୍ତି । ଜଙ୍ଗଲ ହେଉଛି ଜୀବଜଗତର ଜୀବନ ରେଖା । ପରିବେଶ ସୁରକ୍ଷା ପାଇଁ ୩୩ ପ୍ରତିଶତ ପ୍ରାକୃତିକ ଜଙ୍ଗଲ ଆବଶ୍ୟକ କିନ୍ତୁ ବଲାଙ୍ଗିର ଜିଲ୍ଲାରେ ୧୮ %, ବରଗଡ଼ ଜିଲ୍ଲାରେ ୧୩%, ଝାରସୁଗୁଡା ଜିଲ୍ଲାରେ ୧୦% ପ୍ରାକୃତିକ ଜଙ୍ଗଲ ରହିଛି । ଏହା ମାନବ ସମାଜ ପାଇଁ ବିପଦ । ତେଣୁ ଜନସାଧାରଣଙ୍କ ସାମୁହିକ ସ୍ୱାର୍ଥ ସୁରକ୍ଷା ପାଇଁ ପ୍ରସ୍ତାବିତ ଖଣି ଲିଜ ସମୀକ୍ଷା କରି ବାତିଲ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
Prev Post