ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅତିଥିମାନେ ମହିଳା ମାନଙ୍କର ସଶକ୍ତିକରଣ, ସେମାନଙ୍କ ପ୍ରତିଭାକୁ ସମ୍ମାନ, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ ଯୋଗଦାନକୁ ପ୍ରଶଂସା କରିବା ସହ ଯେଉଁଠାରେ ନାରୀ କୁ ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟାଦା ମିଳେ ସେଠାରେ ଭଗବାନ ରୁହନ୍ତି ବୋଲି ମତ ପ୍ରକାଶ କରିଥିଲେ । ହ୍ୟୁମାନିଟି ଫାଉଣ୍ଡେସନ ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ହ୍ୟୁମାନିଟି ଫାଉଣ୍ଡେସନର ସଭାପତି ଦିପ୍ତୀ ସୁନ୍ଦରାୟ ଓ ସମ୍ପାଦିକା ଲୀନା ତ୍ରିପାଠୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ କମଲ ଅଗ୍ରୱାଲ ଓ ବରିଷ୍ଠ କଂଗ୍ରେସ ନେତା ରବି ରାୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ନିରୁପମା ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକା ଡ଼ଃ. ଉତ୍ପଳା ଦାଶଷଡଙ୍ଗୀ, କଳ୍ପନା ନନ୍ଦ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ ସୁନ୍ଦରାୟ, ଜ୍ୟୋତି ଆଚାର୍ଯ୍ୟ, ଶୁଭଶ୍ରୀ ସ୍ୱାଇଁ, ସ୍ନିଗ୍ଧା ପୁହାଣ, ପ୍ରିୟଙ୍କା ପାଣି, ରଶ୍ମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମହିଳା ଆରୋଗ୍ୟ ସମିତି ସେକ୍ଟର ୨୦ ସ୍ଥିତ ନେହେରୁପାଲୀ ଠାରେ ମହିଳା ଆରୋଗ୍ୟ ସମିତି ପକ୍ଷରୁ ଏହି ଦିବସ ଉପଲକ୍ଷେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମିତିର ସଭାପତି ଲଲିମା ଜୟସିଂହ ଓ ସମ୍ପାଦିକା ରୀତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସ୍ୱାସ୍ଥ୍ୟ ସେବା ପ୍ରବନ୍ଧକ ସଞ୍ଜୟ କୁଣ୍ଡୁ ଓ ସସ୍ମିତା ଗୋସ୍ୱାମୀ, କବି ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତ, କବି ସସ୍ମିତା ପ୍ରଧାନ, ନେହେରୁପାଲୀ ଉନ୍ନୟନ ସମ୍ପାଦକ ଗଣେଶ ଜୟସିଂହ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଏହି ଅବସରରେ ମା’ ଓ ଶିଶୁ ସମ୍ପର୍କିତ ଏକ ସଚେତନତା ମୂଳକ ନାଟକ ପ୍ରଦର୍ଶିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ରର ସିଲେଇ ଶିକ୍ଷିକା ହିମନ୍ତି ଜୋଜୋ, ଧନୁମତି ହରିପାଲ, ମିଲି ତାଣ୍ଡି, ସ୍ୱାସ୍ଥ୍ୟକର୍ମୀ ସରସ୍ଵତୀ ବେହେରା, ରୀନା କୁମାରୀ କିଶାନ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଏଠାରେ ସିଲେଇ ଶିଖୁଥିବା ମହିଳା ମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜାନକୀ ଦେବୀ, ପ୍ରମୋଦିନୀ ଦାସ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏକତା ଗୃପ ଏକତା ଗୃପ ତରଫରୁ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ସଭାପତି ବସୁମତୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ରାହୁଲ ମହାନ୍ତିଙ୍କ ସଂଯୋଜନାରେ ସମାଜସେବୀ ସନ୍ଥମା ପିଲାଇ, ସୁଲେଖା ପ୍ରସାଦ, କାଞ୍ଚନ ରାୟ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ । ସଦସ୍ୟାମାନେ ନୃତ୍ୟ ସଂଗୀତ ପରିବେଷଣ କରିଥିଲାବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ଅନ୍ତେବାସୀଙ୍କୁ ଖାଦ୍ୟପେୟରେ ଆପ୍ୟାୟିତ କରାଯାଇଥିଲା । ସୁଚିସ୍ମିତା ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।