ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ସିଏଚ୍ ସୋ ଅନ୍ତର୍ଗତ କନସିଂହା ପଂଚାୟତ ଅନ୍ତର୍ଗତ ୬୦୦ ଜନସଂଖ୍ୟା ବିଶିଷ୍ଠ ଗୌଡପାଲି ଗାଁରେ ଗତ ମାର୍ଚ୍ଚ ୩ ତାରିଖରୁ ୧୯ ଜଣ ହଇଜାରେ ଆକ୍ରାନ୍ତ ହୋଇଛନ୍ତି । ସେଥି ମଧ୍ୟରେ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଅନ୍ୟାନ୍ୟ ୧୬ ଜଣ ଗୌଡପାଲି ଗାଁରେ ଘରେ ରହି ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୨ ଜଣ ମହିଳା, ୬ ଜଣ ପୁରୁଷ ରହିଥିବା ବେଳେ ଜଣେ ୧୦ ବର୍ଷିୟ ଜଣେ ଶିଶୁ ରହିଛନ୍ତି । କେଉଁ କାରଣରୁ ଏତିକି ଲୋକ ଏକାସଙ୍ଗେ ଆକ୍ରାନ୍ତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନଥିବା ସୂଚନା ମିଳିଛ । ଗୌଡପାଲି ଆଶାକର୍ମୀଙ୍କ କହିବା ଅନୁସାରେ ପ୍ରଥମେ ତିନି ଚାରି ଜଣ ଆକ୍ରାନ୍ତ ହେବା ପରେ ସେ ଜମଲା ସିଏଚ୍ସିକୁ ଜଣାଇଥିଲେ ଓ ଲୋକଙ୍କୁ ଓଆର୍ଏସ୍ ଓ ଔଷଧ ଖାଇବାକୁ ଦେଇଥିଲେ । ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଲା । ଜମଲା ସିଏଚ୍ସିର ତିନି ଜଣିଆ ମେଡିକାଲ ଟିମ ଜଣେ ନର୍ସ ଓ ଦୁଇ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଗୌଡପାଲି ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କୁ ଔଷଧ ବିତରଣ କରୁଛନ୍ତି । ହେଲେ ଗ୍ରାମବାସୀ ଭଲ ଡାକ୍ତରୀ ଟିମ ଆସି ହଇଜାର କାରଣ ଖୋଜିବା ସହ ନିରାକରଣ ବ୍ୟବସ୍ଥା କରିବା ଏବଂ ଗାଁ ର ପ୍ରତ୍ୟେକ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଦାବୀ କରିଛନ୍ତି ।