ବାରିପଦା, (ଦେବସ୍ମିତ ଚୌଧୁରୀ) : ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଓଡିଶାର ପ୍ରତିଷ୍ଠିତ ନାଟ୍ୟସଂସ୍ଥା “ଶତାବ୍ଦୀର କଳାକାର” ର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ୨୮ ତମ ଜାତୀୟ କଳିଙ୍ଗ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ ଅଭିନେତା, ନାଟ୍ୟକାର, ନିର୍ଦ୍ଦେଶକ ଓ ସଂଗଠକ ଚିନ୍ମୟ ଦାସ ପଟ୍ଟନାୟକଙ୍କୁ ଉପଢୌକନ, ମାନପତ୍ର, ଟ୍ରଫି ଓ ୫ ହଜାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ “ରବୀନ୍ଦ୍ର ସମ୍ମାନ” ରେ ସମ୍ମାନିତ କରାଯାଇଛି । ପ୍ରକାଶ ଥାଉକି ମଞ୍ଚ ନାଟକ, ବେତାର, ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତକୁ ଉଲ୍ଲେଖନୀୟ ଅବଦାନ ସହ ଜଣେ ବଳିଷ୍ଠ ନାଟ୍ୟ ସଂଗଠକ ଭାବେ ସେ ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବାରିପଦା ବାସିନ୍ଦା ଶ୍ରୀ ଦାସ ପଟ୍ଟନାୟକଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ଓ ଅଭିନନ୍ଦନର ସୁଅ ଛୁଟିଛି । ବିଧାୟକ ବାବୁ ସିଂ, ଅଭିନେତା ତଥା ବିଧାୟକ ଆକାଶ ଦାସନାୟକ, ସମାଜସେବୀ ଜଗନ୍ନାଥ ପ୍ରଧାନ, ସମ୍ବାଦ ଓ କନକ ଟିଭିର ମୁଖ୍ୟ ତନୟା ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଡଃ ଗୌରହରି ଦାସ, ଲେଖକ ଶଙ୍କର ତ୍ରିପାଠୀ, ନିର୍ଦ୍ଦେଶକ ତଥା ସଂସ୍ଥାର ସାଧାରଣ ସମ୍ପାଦକ ଧୀର ମଲ୍ଲିକଙ୍କ ଗହଣରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।