ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜ୍ୟ ମହିଳା ଆୟୋଗଙ୍କ ସହାୟତା ଏବଂ ସୁନ୍ଦରଗଡ଼ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ବ୍ଲକ୍ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗ ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ, ପୂର୍ବତନ ସଦର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଲୋକସଭା ସାଂସଦଙ୍କ ପ୍ରତିନିଧି ସୁଦାମ ହୋତା, ସଦର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଶ୍ରୀମତୀ ଚନ୍ଦ୍ରମା ମେହେର, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ନନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀବନ୍ତ ଜେନା, ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ କାଦମ୍ବିନୀ ସାମଲ ଯୋଗଦେଇ ମହିଳାଙ୍କ ସୁରକ୍ଷା, ଅଧିକାର ଉପରେ ଆଲୋଚନା କରିବା ସହିତ କନ୍ୟା ଭୃଣ ହତ୍ୟା ନିଷେଧ ଆଇନ, ବାଲ୍ୟ ବିବାହ ନିଷେଧ ଆଇନ, ଘରୋଇ ହିଂସା ନିଷେଧ ଆଇନ, ଯୌତୁକ ନିରୋଧ ଆଇନ ଆଦି ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ଏହା ସହିତ ତୃଣମୂଳ ସ୍ତରରେ ଏହି ଆଇନ ଗୁଡ଼ିକ ଉପରେ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା । ସେହିଭଳି ନାରୀ ନିଜକୁ ଦୁର୍ବଳା ମନେ ନ କରି ସାହସର ସହ ନିଜ ଅଧିକାରକୁ ସାବ୍ୟସ୍ତ କରିବାକୁ ଆହ୍ୱାନ ମଧ୍ୟ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ସଦର ବ୍ଲକର ସମସ୍ତ ପଞ୍ଚାୟତି ରାଜ ପ୍ରତିନିଧି, ଅଙ୍ଗନବାଡି କର୍ମୀ, ସି ଆର ପି, ଏମ ବି କେ, ବ୍ୟାଙ୍କ ମିତ୍ର, କଲେଜ ଛାତ୍ରୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସଦର ବ୍ଲକ ସୁରକ୍ଷା ଅଧିକାରୀ ଶ୍ରୀମତୀ ସୁଶିଳା ରଥ ମଞ୍ଚ ପରିଚାଳନା କରିଥିଲେ ଏବଂ ସଦର ବ୍ଲକ୍ ସି ଡି ପି ଓ ଶ୍ରୀମତୀ ସୁବାସୀ ମୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.