ପରିଣତ ବୟସରେ ବେସାହାରା ଏବେ ବିସ୍ଥାପିତ ଦମ୍ପତି

  • ପାଞ୍ଚ କିଲୋ ଚାଉଳରେ ଜୀବନ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାକୁ ସମୃଦ୍ଧ କରି ଗଢି ତୋଳି ଥିବା ଇନ୍ଦ୍ରାବତୀ ପ୍ରକଳ୍ପର ପାର୍ଶ୍ଵ ଅଞ୍ଚଳ ମାନଙ୍କରେ ବିସ୍ଥାପିତ ହୋଇଥିବା ସର୍ବହରା ମଣିଷ ମାନଙ୍କ ମଧ୍ୟରୁ ଅନେକ ପରିବାର ଆଜି ବି ବିସ୍ଥାପନର କରୁଣ ଦୃଶ୍ୟକୁ ଉଜାଗର କରୁଥିବାର ଦେଖିବାକୁ ମିଳୁଛି । ଯେଉଁମାନଙ୍କ ଭିଟାମାଟି ଉପରେ ପ୍ରକଳ୍ପ ମୁଣ୍ଡ ଟେକିଲା ଆଜି ସେମାନଙ୍କ ଦୁର୍ଦ୍ଦଶା ସମୟରେ କେହି ହେଲେ ମୁହଁ ଖୋଲୁ ନ ଥିବା ଅଭିଯୋଗ ଆସୁଛି । ତତ୍‌କାଳୀନ ସରକାର ଓ ପ୍ରଶାସନିକ ଅଧିକାରୀ ସରଳ ମଣିଷ ମାନଙ୍କ ସରଳତା ସୁଯୋଗ ନେଇ ସାମାନ୍ୟତମ ସହଯୋଗ ରାଶି ଦେଇ ବିସ୍ଥାପନ କାର୍ଯ୍ୟକୁ ପୂର୍ଣ୍ଣାହୂତି ଦେଇଦେଲେ । କୌଣସି ପ୍ରତିକ୍ରିୟା କରି ନ ଥିବା ସେହି ବିସ୍ଥାପିତ ମଣିଷମାନେ ସରକାରୀ କଳର ପ୍ରଲୋଭନରେ ବାସଚ୍ୟୁତ ହେବା ସହ ଭିଟାମାଟି ଛାଡ଼ି ଏକ ଅନିଶ୍ଚିତ ଜୀବନ ଯାତ୍ରାରେ ବାହାରି ପଡ଼ିଲେ । ଅନେକ ଦିନର ଅପେକ୍ଷା ପରେ ବି ସେମାନଙ୍କ ପାଖକୁ ବିସ୍ଥାପନର ମୌଳିକ ସୁବିଧା ପହଞ୍ଚି ପାରିଲା ନାହିଁ । ଏବେ ଅନ୍ୟର ବିକାଶକୁ ଦେଖି ନିଜର ଜୀବନ ଯାତ୍ରାକୁ ପରଖୁ ଥିବା ସେମାନଙ୍କ ପାଇଁ ଶ୍ରେୟ ହୋଇଛି । ଏବେ ଜୟପାଟଣା ବ୍ଲକ ମୁଖ୍ୟାଳୟଠାରୁ ସାତ କିଲୋମିଟର ଦୂରେ ରହି ଆସୁଥିବା ମଙ୍ଗଳପୁର ହାତୀବନ୍ଧ ପାଇଁ ସେହି ନିକଟରେ ବିସ୍ଥାପିତ ହୋଇଥିବା ପରିବାର ମାନଙ୍କ ଦୁର୍ଦ୍ଦଶା ଆଜିବି ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । ଦୁଇ ନମ୍ବର ୱାର୍ଡରେ ଅବସ୍ଥିତ । ପରିଣତ ବୟସର ଥବିର ପୁଝାରୀ ଓ ତାଙ୍କର ଭିନ୍ନକ୍ଷମ ଧର୍ମପତ୍ନୀ ବୃନ୍ଦା ଏବେ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି । ପୁଅ ନ ଥିବାରୁ ସ୍ୱାମୀ ସ୍ତ୍ରୀଙ୍କ ଏକାନ୍ତ ଜୀବନ । ସ୍ତ୍ରୀ ବୃନ୍ଦାବତୀଙ୍କ ଚାଲିବା ପାଇଁ ବାଡ଼ି ଖଣ୍ଡିଏ ସାହାରା ହୋଇଛି । ସ୍ପଷ୍ଟ କଥା କହିବାରେ ମଧ୍ୟ ଅକ୍ଷମ । ତଥାପି ଦୁଇଜଣଙ୍କ ପେଟ ପାଇଁ ସମୟ ସମୟରେ ଚୁଲି ଜଳାଇବାକୁ ପଡେ । ଝିଅ ପୁଷ୍ପମଞ୍ଜରୀ ବିବାହ ହେବା ପରେ ସେମାନେ ଏବେ ସମ୍ପୂର୍ଣ୍ଣ ଏକୁଟିଆ । ଏବେ ପଲିଥିନ ଢାଙ୍କୁଣି ତଳେ ମୁଣ୍ଡ ଗୁଞ୍ଜୁ ଥିବାର ଦେଖିବାକୁ ମିଳିଥିଲା । ଗରିବଙ୍କୁ ଉପହାସ କଲା ଭଳିଆ ବିଲ ପଇସା ପୈଠ ନ କରିବାରୁ ବିଦ୍ୟୁତ୍ ବିଭାଗ ମଧ୍ୟ ସଂଯୋଗ କାଟି ଦେଇଥିବାରୁ ଅନ୍ଧାରରେ ଦିନ କାଟୁଥିବା ଦେଖିବାକୁ ମିଳିଥିଲା । ସରକାରୀ ସହାୟତା କହିଲେ ଦୁଇଜଣଙ୍କ ପାଇଁ ଦଶ କିଲୋ ଚାଉଳ । ଆଜି ପର୍ଯୃନ୍ତ ଦୁଇଜଣ ଯାକ ଭତ୍ତାରୁ ବଞ୍ଚିତ ଥିବାବେଳେ ବୃନ୍ଦାବତୀ ଭାଗ୍ୟରେ ଭିନ୍ନକ୍ଷମ ଭତ୍ତା ମଧ୍ୟ ବିଳମ୍ବ ହେଉଛି । ଏବେ ଆବାସ ଯୋଜନାରେ ବୃନ୍ଦାବତୀଙ୍କୁ ସାମିଲ କରାଯାଇ ଥିବା ବେଳେ ଅନ୍ୟ ଭରସାରେ ସେମାନେ ନିର୍ଭର କରିଥିବା କହି ଥିଲେ । ଏ ସଂକ୍ରାନ୍ତରେ ଜୟପାଟଣା ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାର୍ଥ ମୁଣ୍ଡଙ୍କ ସାଙ୍ଗରେ ଯୋଗାଯୋଗ କରିବାରୁ ସେ ପ୍ରଭାବିତ ପରିବାରଙ୍କୁ ଭେଟିବା ସହ ଖୁବ୍ ଶୀଘ୍ର ସେମାନଙ୍କ ସହାୟତା ପାଇବେ ବୋଲି ପ୍ରକାଶ କରିଥଲେ । ଏମିତି ଅନେକ ବିସ୍ଥାପିତ ପରିବାର ଦୁଃଖକଷ୍ଟ ମଧ୍ୟରେ ଦିନ ବିତାଉଥିବାବେଳେ ଆଜିବି ସେମାନଙ୍କ ପାଇଁ କେତେକ ମୌଳିକ ଅଧିକାର ପହଞ୍ଚି ପାରି ନ ଥିବା ଅଭିଯୋଗ ଆସୁଛି । ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ତଦନ୍ତ ହେଲେ ପୁନର୍ବାସର ବାସ୍ତବ ଚିତ୍ର ଲୋକଲୋଚନକୁ ଆସିବ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.