ରାଉରକେଲା, (ସସ୍ମିତା ପ୍ରଧାନ) : ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ରେଳ ସୁରକ୍ଷା କ୍ଷେତ୍ରରେ ଏକ ଐତିହାସିକ ସଫଳତା ସୃଷ୍ଟି କରି, ରାଉରକେଲା ବନ ବିଭାଗ ଓଡିଶାରେ ପ୍ରଥମଥର ପାଇଁ ଚାରୋଟି ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ଟାୱାର ସ୍ଥାପନ କରିଛି । ଏହି ପ୍ରୟାସ ଦ୍ୱାରା ସମ୍ଭାବ୍ୟ ଭୟାବହ ଟ୍ରେନ୍ ହାତୀ ଧକ୍କାକୁ ସଫଳତାର ସହ ରୋକାଯାଇପାରିଛି । ଏହା ବର୍ତ୍ତମାନର ପ୍ରଯୁକ୍ତି ଓ ପରିବେଶ ସୁରକ୍ଷାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ । ୨୦୨୪ ନଭେମ୍ବର ୧୮ ପର୍ଯ୍ୟନ୍ତ ଏହି ବିଭାଗରେ ଟ୍ରେନ୍ ଦୁର୍ଘଟଣାରେ ୫ଟି ହାତୀର ମୃତ୍ୟୁ ଘଟିଥିଲା । ଦକ୍ଷିଣ – ପୂର୍ବ ରେଳପଥ ଅଧୀନରେ ଥିବା ରେଳ ଲାଇନ ଘନବନ ଅଞ୍ଚଳ ମଧ୍ୟଦେଇ ଯାଇଛି । ଯାହା ହାତୀମାନଙ୍କ ପାରମ୍ପରିକ ଚଳାଚଳ ପଥକୁ ବିଭକ୍ତ କରି ସେମାନଙ୍କୁ ନିରନ୍ତର ଅସୁବିଧାରେ ପକାଇଥାଏ । ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥ ଏବଂ ହାଟିଆ-ବନ୍ଧମୁଣ୍ଡା-ବରସୁଆ ଶାଖା ରେଳପଥ, ଯାହାକି ବନ୍ଧମୁଣ୍ଡାରେ ସଂଯୁକ୍ତ ହୋଇଛି, ହାତୀ ଚଳାଚଳ ଅଞ୍ଚଳ ମଧ୍ୟରୁ ଅନ୍ୟତମ । ଏହା ଏତେ ବିସ୍ତୃତ ଯେ, ଏହି ଅଞ୍ଚଳରେ ହାତୀ ଚଳାଚଳର ନିରୀକ୍ଷଣ କରିବା ଅତ୍ୟନ୍ତ କଠିନ ହୋଇପଡେ । ୨୦୨୪ ନଭେମ୍ବର ୧୯ରୁ ଏହି ଅଞ୍ଚଳରେ ବନ ବିଭାଗ ପକ୍ଷରୁ ଚାରୋଟି ଆଧୁନିକ ଏଆଇ ଟାୱାର କାର୍ଯ୍ୟରତ କରାଯାଇଛି, ଯାହାର ବିଶେଷତା ହେଲା ଉନ୍ନତ ଥର୍ମାଲ୍ ଇମେଜିଂ କ୍ୟାମେରା, ଉଚ୍ଚ ସମ୍ବେଦନଶୀଳ ମୋଶନ୍ ସେନ୍ସର, ମେସିନ୍ ଲର୍ଣ୍ଣିଙ୍ଗ ଆଧାରିତ ପ୍ରାଣୀ ପରିଚୟ ପ୍ରଣାଳୀ ଏବଂ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷକୁ ତୁରନ୍ତ ସଚେତନ ବାର୍ତ୍ତା ପ୍ରେରଣ । ଏହି ଏଆଇ ଟାୱାରଗୁଡ଼ିକୁ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥର ମହିପାଣି ଓ ସୋନାଖାନ ଏବଂ ବନ୍ଧମୁଣ୍ଡା-ବରସୁଆଁ ଶାଖା ରେଳପଥର ଡାଲାକୁଦର ଓ କୁଚେଇଟା ଠାରେ ସ୍ଥାପିତ କରାଯାଇଛି । ଏହା ଓଡ଼ିଶାରେ ପ୍ରଥମ ଏଆଇ ଭିତ୍ତିକ ବନ୍ୟଜନ୍ତୁ ସୁରକ୍ଷା ପ୍ରୟାସ । ୨୦୨୪ ନଭେମ୍ବର ୧୯ ରୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ପ୍ରାୟ ୮୮୦ଟି ହାତୀ ଚଳାଚଳ ସମ୍ପର୍କିତ ସଚେତନ ବାର୍ତ୍ତା ମିଳିବା ପରେ ଏହାର ସଫଳତା ପ୍ରମାଣିତ ହୋଇଛି । ପ୍ରତ୍ୟେକ ସଚେତନତା ବାର୍ତ୍ତାରେ ଗୋଟିଏ ହାତୀରୁ ଆରମ୍ଭ କରି ୩୦ଟି ପର୍ଯ୍ୟନ୍ତ ହାତୀ ଥିବା ଦଳର ଚଳାଚଳ ଚିହ୍ନଟ ହୋଇଥିଲା । ୨୦୨୫ ନଭେମ୍ବର ୨୬ରେ କୁଚେଇଟାରେ ଏଆଇ ଟାୱାରର ଏକ ସଚେତନ ବାର୍ତ୍ତା ଦ୍ୱାରା ପ୍ରାୟ ୩୦ଟି ହାତୀଙ୍କୁ ଏକ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା କରାଯାଇଥିଲା । ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା କୁଚେଇଟାରେ ୩୪ଟି ଘଟଣା ରୋକାଯାଇପାରିଛି ଏବଂ ଏହାଦ୍ଵାରା ପ୍ରାୟ ୨୩୩ଟି ହାତୀ ସୁରକ୍ଷିତ ରହିଛନ୍ତି । ସେହିପରି ସୋନାଖାନରେ ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା ୬ଟି ଘଟଣାରେ ପ୍ରାୟ ୨୨ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇଛି । ଏଥିସହିତ ମହିପାଣିରେ ୪ଟି ଘଟଣାରେ ୬ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇଥିଲା ବେଳେ ଡାଲାକୁଦରରେ ଏଆଇ ସମ୍ପ୍ରସାରିତ ସୁରକ୍ଷା ପ୍ରଣାଳୀ ଦ୍ଵାରା ୨ଟି ଘଟଣାରେ ୯ଟି ହାତୀଙ୍କୁ ସୁରକ୍ଷିତ ରଖାଯାଇପାରିଛି । ହାତୀ ରେଳପଥ ନିକଟରେ ଚଳାଚଳ କଲେ, ଏଆଇ ପ୍ରଣାଳୀ ତୁରନ୍ତ ବନ୍ଧମୁଣ୍ଡା ରେଳ ଏଆରଏମ୍ କାର୍ୟ୍ୟାଳୟରେ ଅବସ୍ଥିତ ନିୟନ୍ତ୍ରଣ କକ୍ଷକୁ ସଚେତନ ବାର୍ତ୍ତା ପଠାଏ, ଯାହା ବନ ବିଭାଗ ଦ୍ୱରା ପରିଚାଳିତ ହୋଇଥାଏ । ଭାରତୀୟ ରେଳ ବିଭାଗ କର୍ମକର୍ତ୍ତାମାନେ ତୁରନ୍ତ ଗତି ନିୟନ୍ତ୍ରଣ କିମ୍ବା ଆବଶ୍ୟକତା ଅନୁସାରେ ଟ୍ରେନ୍ ରୋକିଦେଇ ଦୁର୍ଘଟଣା ରୋକିଥାନ୍ତି । ଓଡ଼ିଶାର ବନ ଅଞ୍ଚଳରେ ମାନବ ହାତୀ ସଂଘର୍ଷ ଏବଂ ରେଳ ଦୁର୍ଘଟଣା ଦୀର୍ଘଦିନ ଧରି ଚିନ୍ତାର ବିଷୟ ଥିଲା । ଏହି ନୂଆ ପ୍ରଯୁକ୍ତିମୂଳକ ଏଆଇ ସମ୍ପ୍ରସାରିତ ହାତୀ ସୁରକ୍ଷା ପ୍ରଣାଳୀ ପଦକ୍ଷେପ ଉନ୍ନୟନ ଓ ପରିବେଶ ସୁରକ୍ଷା ମଧ୍ୟରେ ସମନ୍ୱୟର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ ଦ୍ୱରା ଦେଶଦ୍ରାପୀ ଆଦର୍ଶ ମଡେଲ ହୋଇଛି । ବନ ବିଭାଗ ଓ ଭାରତୀୟ ରେଳ ବିଭାଗର କର୍ମକର୍ତ୍ତାମାନେ ଏହାକୁ ଦେଶର ଅନ୍ୟାନ୍ୟ ଉଚ୍ଚ ଦୁଃସାହସିକ ରେଳପଥରେ ଅନୁପ୍ରୟୋଗଯୋଗ୍ୟ ଏକ ଆଦର୍ଶ ମଡେଲ୍ ବୋଲି ସ୍ୱୀକାର କରିଛନ୍ତି । “କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦ୍ୱରା ବନ୍ୟଜନ୍ତୁ ସୁରକ୍ଷା ଏବଂ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆଜି ପାନପୋଷ ଠାରେ ରାଉରକେଲା ବନଖଣ୍ଡ କାର୍ଯ୍ୟଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି ଏବଂ ଏସିଏଫ୍ ସୁରଜିତ୍ କୁମାର ସାହୁ । ରାଉରକେଲାର ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅନ୍ୟାନ୍ୟ ବନ ବିଭାଗମାନେ ମଧ୍ୟ ଏପରି ଏଆଇ ଭିତ୍ତିକ ପ୍ରଣାଳୀ ଆରମ୍ଭ କରୁଛନ୍ତି ବୋଲି କହିଥିଲେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଉରକେଲା ବନ ବିଭାଗ ଭାରତୀୟ ରେଳ ବିଭାଗ ଏବଂ ପ୍ରଯୁକ୍ତିବିଦ୍ୟା ସହଭାଗୀମାନଙ୍କ ସହ ସମନ୍ୱୟରେ କାମ କରି ରେଳପଥରେ ବନ୍ୟଜନ୍ତୁ ମୃତ୍ୟୁକୁ ସମ୍ପୂର୍ଣ୍ଣ ରୋକିବାପାଇଁ ପ୍ରୟାସରତ ଅଛି ବନ ବିଭାଗ ।
Next Post