ଜଗନ୍ନାଥ କ୍ଷେତ୍ର, (କେପିଏନଏସ) : “ଉତ୍କର୍ଷ” ବିଶେଷ ଉତ୍ସାହ, ଗରିମା ଓ ଭବ୍ୟତା ସହିତ ପାଳିତ ହୋଇଛି । ଏହି ଅବସରରେ ବିଦ୍ୟାଳୟ ପରିବାର, ଅଭିଭାବକମାନେ, ଅନେକ ଗଣ୍ୟମାନ୍ୟ ଅତିଥି ଓ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ଅଧ୍ୟକ୍ଷତା ବିଦ୍ୟାଳୟର ପ୍ରାଚାର୍ଯ୍ୟା ଶ୍ରୀମତୀ ଆଶା କୁମାରୀ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଭାବେ ଏ.କେ. ଦାସ (ସାଧାରଣ ପରିଚାଳକ, ଖଣି ଖନନ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍) ଏବଂ ସମ୍ମାନିତ ଅତିଥି ଭାବେ ସୁଖଦେବ ସେଠ (ସାଧାରଣ ପରିଚାଳକ, ଏ.ଏଚ.ଆର.ଏମ., ଏମସିଏଲ) ସହ ଏମସିଏଲର ଅନେକ ବରିଷ୍ଠ ଅଧିକାରୀ ଓ ନିକଟସ୍ଥ ବିଦ୍ୟାଳୟର ପ୍ରାଚାର୍ଯ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନ ଦ୍ୱାରା କରାଯାଇଥିଲା । ସ୍ୱାଗତ ଭାଷଣରେ ପ୍ରାଚାର୍ଯ୍ୟା ଶ୍ରୀମତୀ ଆଶା କୁମାରୀ ସମସ୍ତ ଅତିଥିଙ୍କୁ ସ୍ୱାଗତ କରି ବିଦ୍ୟାଳୟର ସଫଳତା ଓ ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରିଥିଲେ । ସେ କହିଥିଲେ, “ଉତ୍କର୍ଷର ଅର୍ଥ ହେଉଛି ଉତ୍କୃଷ୍ଟତା ପ୍ରତି ଅଗ୍ରସର ହେବା ଏବଂ ଆମ ବିଦ୍ୟାଳୟ ଏହି ଲକ୍ଷ୍ୟକୁ ନେଇ ଆଗକୁ ବଢ଼ୁଛି ।”
ମୁଖ୍ୟ ଅତିଥି ଏ.କେ. ଦାସ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇ କହିଥିଲେ ଯେ ଶିକ୍ଷା କେବଳ ପୁସ୍ତକୀୟ ଜ୍ଞାନରେ ସୀମିତ ନୁହେଁ, ବରଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବାର ମାଧ୍ୟମ । ସେ ଛାତ୍ରଛାତ୍ରୀମାନଙ୍କୁ ସ୍ୱପ୍ନ ସାକାର କରିବାପାଇଁ ନିରନ୍ତର ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ଅତିଥିମାନେ ବିଦ୍ୟାଳୟର ଅଳ୍ପ ସମୟରେ ହୋଇଥିବା ଦ୍ରୁତ ଉନ୍ନତି ଓ ଉତ୍କୃଷ୍ଟ ଶିକ୍ଷାମୂଳକ ପରିବେଶକୁ ଉଚ୍ଚ ସ୍ତୁତି କରିଥିଲେ । ଉତ୍ସବରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, ନାଟକ ଓ ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ନିଜ ପ୍ରତିଭା, ଆତ୍ମବିଶ୍ୱାସ, ଶୃଙ୍ଖଳା ଓ ଦଳୀୟ ସହଯୋଗକୁ ଅଦ୍ଭୁତ ଭାବେ ପ୍ରଦର୍ଶନ କରିଥିଲେ । ଏହି ରଙ୍ଗିନ ପ୍ରଦର୍ଶନମାନେ ଉପସ୍ଥିତ ଦର୍ଶକମାନଙ୍କୁ ମନମୁଗ୍ଧ କରିଦେଇଥିଲା । ଅଭିଭାବକମାନେ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଦେଖି ଅତ୍ୟନ୍ତ ଗର୍ବ ଓ ଆନନ୍ଦ ବ୍ୟକ୍ତ କରିଥିଲେ । ଅନେକ ଅଭିଭାବକ ଏହି ଭବ୍ୟ ଓ ସୁସଂଗଠିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଏକ ଉଲ୍ଲେଖନୀୟ ପ୍ରୟାସ ଭାବେ ମତ ପ୍ରକାଶ କରିଥିଲେ । ଦୂରଦୂରାନ୍ତରୁ ଆସିଥିବା କେତେକ ଅଭିଭାବକ, ବିଶେଷକରି ମାଆମାନେ, ପ୍ରଥମ ଥର ପାଇଁ ଏମିତି ଭବ୍ୟ ଆର୍ଯ୍ୟଜନ ଦେଖି ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଏବଂ ବିଦ୍ୟାଳୟକୁ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରାଚାର୍ଯ୍ୟ ଶ୍ରୀମତୀ ଆଶା କୁମାରୀଙ୍କ ଦକ୍ଷ ନେତୃତ୍ୱ ଓ ଶିକ୍ଷକ କର୍ମଚାରୀମାନଙ୍କ ସମର୍ପିତ ପ୍ରୟାସରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏହି ଉତ୍ସବ ବିଦ୍ୟାଳୟ, ଅଭିଭାବକ ଓ ସମାଜ ମଧ୍ୟରେ ସମ୍ପର୍କକୁ ଆହୁରି ଦୃଢ଼ କରିଥିଲା । ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟ କ୍ରମର ସମାପନ ହୋଇଥିଲା । ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ “ଉତ୍କର୍ଷ” ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ବିଦ୍ୟାଳୟର ଉତ୍କୃଷ୍ଟତା ଦିଗରେ ଅଗ୍ରଗତିର ଏକ ପ୍ରେରଣାଦାୟକ ଉଦାହରଣ ହୋଇରହିଲା ।