ବଲାଙ୍ଗିର, (କେପିଏନ୍ଏସ୍) : ସାବାସ ବଲାଙ୍ଗିର ପୋଲିସ । ନଅ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରି ପଠାଇଲା ଜେଲ୍ । ସାଧାଣ ଲୋକଙ୍କ ପାଇଁ ପାଲଟିଥିଲେ ମୁଣ୍ଡବିନ୍ଧା । ଲୁଟ, ଡକାୟତି, ଚୋରି ସବୁ ପ୍ରକାରର ଅପରାଧ କରୁଥିଲେ । ଶେଷରେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ । ଆଉ ଏବେ ଜେଲ୍ ଗଲେ । ଗିରଫ ନଅ ଜଣିଆ ଗ୍ୟାଙ୍ଗକୁ ଧରି ବଲାଙ୍ଗିର ପୋଲିସ କରିଥିଲା ବଡ଼ ସାମ୍ବାଦିକ ସମ୍ମିଳନୀ । ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ବଲାଙ୍ଗିର ଏସ୍ପି ଯୋଗ ଦେଇ ଘଟଣାକୁ ନେଇ ବଡ଼ ଖୁଲାସା ବି କରିଛନ୍ତି । ବଲାଙ୍ଗିର ଏସ୍ପିଙ୍କ ସୂଚନା ଅନୁସାରେ, ଗିରଫ ନଅ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କ ଭିତରେ ଛଅ ଜଣ ନୟାଗଡ଼ ଜିଲ୍ଲାର ହୋଇଥିବା ବେଳେ ତିନିଜଣ ବଲାଙ୍ଗିର ଜିଲ୍ଲାର । ଚୋରି ସାମଗ୍ରୀ କିଣିଥିବା ବଲାଙ୍ଗିର ସହର ସାଲେପାଲିର ଫରଚ୍ୟୁନ ସାହୁକୁ ମଧ୍ୟ ଗିରଫ କରିଛି ପୋଲିସ । ଲୁଟେରା ଗ୍ୟାଙ୍ଗର ମୁଖ୍ୟ ଥିଲା ଲୋଇସିଂହା ଥାନା ସୁଜିଆ ଗାଁର ରାମକୁମାର ସାହୁ । ଗତ ଜାନୁଆରୀ ୩୧ ତାରିଖ ଦିନ ସଦର ଥାନା ଚୂଡ଼ାପାଲିର ମା’ ମଙ୍ଗଳା ଅଳଙ୍କାର ଦୋକାନରେ ଚୋରି ହୋଇଥିଲା । ନିଜେ ଏସ. ପିଙ୍କ ତତ୍ୱାବଧାନରେ ଘଟଣାର ତଦନ୍ତ କରିଥିଲା ପୋଲିସର ସ୍ୱତନ୍ତ୍ର ଟିମ । ନଅ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଏମାନେ ବଲାଙ୍ଗିର ଟାଉନ ଥାନାର ଦୋକାନ ଓ ମନ୍ଦିର ଚୋରି, ଲୋଇସିଂହା ସୁନା ଦୋକାନ ଚୋରି, ଚୂଡ଼ାପାଲି ସୁନା ଦୋକାନ ଚୋରି ମାମଲାରେ ସମ୍ପୃକ୍ତ ଥିଲେ । ଚୋର ମାନଙ୍କ ଠାରୁ ପୋଲିସ କାର, ବୁଲେଟ ସିଜ କରିବା ସହିତ ୨୬ ହଜାର ଟଙ୍କା, ସୁନା ରୂପା ଅଳଙ୍କାର ଉଦ୍ଧାର କରିଛି ।
Prev Post