କର୍କଟ ରୋଗର ସଚେତନତା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ମହିଳା ଅନୁଷ୍ଠାନ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ଆଦର୍ଶ ଗୃହିଣୀ ନନ୍ଦିନୀ ଗୁରୁଙ୍କ ସ୍ମୃତିରେ ଓ ସଭାପତି ମାଳତି ଉଦ୍‌ଗାତାଙ୍କ ସଭାପତିତ୍ୱରେ କର୍କଟ ରୋଗର ନିରାକରଣ ସଚେତନତା ଶିବିର ସହିତ ଆଲୋଚନା ଚକ୍ର ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଡ. ପ୍ରେମଚାନ୍ଦ ମହାନ୍ତି ମୁଖ୍ୟବକ୍ତା ଓ ଉପଦେଷ୍ଟା ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କର୍କଟ ରୋଗର ନିରାକରଣ ଆମର ଦୈନନ୍ଦିନ ଜୀବନର ଖାଦ୍ୟପେୟ ଓ ସତର୍କତାରେ ହିଁ ସମ୍ଭବ ଏବଂ ଯଥା ସମୟରେ ଚିକିତ୍ସା କରି ପାରିଲେ ଏଥିରୁ ଆରୋଗ୍ୟ ମିଳି ପାରିବ ବୋଲି ଡ. ମହାନ୍ତି ମତବ୍ୟକ୍ତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ବ୍ୟକ୍ତିଙ୍କର କର୍କଟ ରୋଗ ସଂପର୍କିତ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଶିକ୍ଷାବିତ ଗିରିଜା ଶଙ୍କର ରଥ ମଧ୍ୟ ନିଜର ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦିକା କସ୍ତୁରୀ ରଥ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ରାଜଶ୍ରୀ ତ୍ରିପାଠୀ, ଆରତୀ ମିଶ୍ର, ନିହାରିକା ମିଶ୍ର, ରଶ୍ମି ପାତ୍ର, ଶୋଭିନୀ ମହାଲିଙ୍ଗ, ବୀଣାପାଣି ଆଚାର୍ଯ୍ୟ ଓ ନିରୁପମା ମିଶ୍ର । ଶେଷରେ କୁମୋଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.