- ବଜେଟରେ ଚାଷୀ ଆଦିବାସୀ ଯୁବକ ଦାଦନ ଶ୍ରମିକ ବିକାଶ ପାଇଁ କିଛି ନାହିଁ
- ଓଡିଶାର ଶିକ୍ଷା ସ୍ୱାସ୍ଥ୍ୟ ପର୍ଯ୍ୟଟନ ଶିଳ୍ପ – ରେଲୱେ ସମୁଦ୍ରକୁ ଶଙ୍ଖେ : ନିରଞ୍ଜନ
ଦିଲ୍ଲୀ : ୯.୨ କେନ୍ଦ୍ରୀୟ ବଜେଟ ୨୦୨୬-୨୦୨୭ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ରାଜ୍ୟସଭା ସାଂସଦ କେନ୍ଦ୍ର ସରକାରଙ୍କ ବଜେଟକୁ କଡ଼ା ସମାଲୋଚନା କରି କହିଲେ ଯେ କେନ୍ଦ୍ରୀୟ ବଜେଟରେ ଓଡିଶାର ବିକାଶ ପାଇଁ କିଛି ନାହିଁ । ଚାଷୀ ଓ ଚାଷର ବିକାଶ ପାଇଁ, ଧାନର ଏମ ଏସ ପି କୁଇଣ୍ଟାଲ ପିଛା ୩୧୦୦ ରୁ ୬୨୦୦ ଟଙ୍କା ବଢେଇବା ବ୍ୟବସ୍ଥା ନାହିଁ । ଦାଦନ ଶ୍ରମିକ ସମସ୍ୟା ସମାଧାନ ପାଇଁ ବଜେଟ ନାହିଁ । ପଶ୍ଚିମ ଓଡିଶା ଏବଂ କେବିକେ ଅଞ୍ଚଳ, ଗ୍ରାମାଞ୍ଚଳର ବିକାଶ ପାଇଁ ବଜେଟ ସୁବିଧା ନାହିଁ । ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା ମରୁଡ଼ି ଓଡିଶାକୁ ଧ୍ୱସ୍ତ ଵିଧ୍ଵସ୍ତ କରୁଛି । ସେଥିପାଇଁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାପାଇଁ ଲଢ଼େଇ କରିଆସୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶାର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଞ୍ଜୁରୀ ପାଇଁ ଦାବୀ କରିଆସୁଛନ୍ତି । ତା ସତ୍ୱେ ବଜେଟରେ ଓଡିଶାକୁ ଅତିରିକ୍ତ ପାଣ୍ଠି ଦିଆଯାଇନାହିଁ । ସାଂସଦ ଶ୍ରୀ ବିଶି କହିଲେ ଯେ ବଜେଟରେ ଶିକ୍ଷାପାଇଁ ୧. ୩୯ ଲକ୍ଷ କୋଟି ବଜେଟ ବ୍ୟବସ୍ଥା ଯାହାକି ମୋଟ ବଜେଟର ମାତ୍ର ୨ ପ୍ରତିଶତ । ଭାରତରେ ୨୦୧୪-୨୦୨୪ ମଧ୍ୟରେ ୯୩ ହଜାର ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି । ଓଡିଶାରେ ୨୦୧୪ ରୁ ୨୦୨୫ ମଧ୍ୟରେ ୭୦୬୮ ଟି ସରକାରୀ ସ୍କୁଲ ବନ୍ଦ କରାଯାଇଛି । ଏସବୁ ସ୍କୁଲ ଗୁଡିକ ଆଦିବାସୀ ଅଞ୍ଚଳ, ଆଦିବାସୀ ଗାଁ, ଆଦିବାସୀ ବସ୍ତିରେ ବନ୍ଦ ହୋଇଯାଇଛି । ଆଦିବାସୀ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ । ଆଦିବାସୀ ଯଦି ପଢି ପାରିବେ ନାହିଁ, ତେବେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ହୋଇପାରିବ ନାହିଁ । ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ କେବଳ ୨ ପ୍ରତିଶତ ବ୍ୟବସ୍ଥା ହୋଇଛି । ଏହି ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳିଆ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ ନାହିଁ ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ । ଦେଶର ୧୫ କୋଟି ଆଦିବାସୀ ପାଇଁ ୧୫ହଜାର କୋଟି ଯାହାକି ମୋଟ ବଜେଟର ୦.୨୯% ବଜେଟ ହୋଇଥିବା ବେଳେ ଅନୁସୂଚିତ ଜାତି, ସଂଖ୍ୟାଲଘୁ, ଦିବ୍ୟାଙ୍ଗଜନ ପାଇଁ ୧୫,୩୫୭ କୋଟି ଅର୍ଥାତ ମୋଟ ବଜେଟର ୦.୩ % । ଶ୍ରୀ ବିଶି କ୍ଷୋଭ ପ୍ରକାଶ କରି କହିଲେ ଯେ ଏଭଳିଆ ବଜେଟରେ ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ସ୍ୱପ୍ନ ସାକାର ହେବ ନାହିଁ କିମ୍ବା କ୍ରାନ୍ତିବୀର ବିର୍ସାମୁଣ୍ଡାଙ୍କ ଲକ୍ଷ ପୂରଣ ହେବନାହିଁ । ଓଡିଶାର ପର୍ଯ୍ୟଟନ ବିକାଶ ତଥା ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ, କୋଣାର୍କ, ଲିଙ୍ଗରାଜ, ଚିଲିକା, ସମଲେଶ୍ୱରୀ ମନ୍ଦିର, ହରିଶଙ୍କର ନରସିଂହନାଥ ଗନ୍ଧମାର୍ଦନ, ଚଉଷଠି ଯୋଗିନୀ ରାଣୀପୁର ଝରିଆଲ ଇତ୍ୟାଦି ପର୍ଯ୍ୟଟନ ସ୍ଥଳୀ ପାଇଁ ବଜେଟ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ଓଡିଶାର ହାଇସ୍ପିଡ଼ ରେଲୱେ କରିଡର, ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ, ବଲାଙ୍ଗିର ନୂଆଁ ପଡ଼ା ନୂଆଁ ରେଲୱେ ଲାଇନ ନିର୍ମାଣ ବଜେଟରେ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ । କେବଳ ଓଡିଶାର ପ୍ରାକୃତିକ ସମ୍ପଦ ମାଙ୍ଗାନିଜ, ବକ୍ସାଇଟ, କ୍ରୋମାଇଟ, କୋଇଲା, ଆଇରନ ଓର ପାଇଁ ବଜେଟ, ଆଦିବାସୀମାନଙ୍କୁ ତାଙ୍କ ଜମି ଜଙ୍ଗଲରୁ ବିସ୍ଥାପିତ କରି ଆଦିବାସୀ ମାନଙ୍କୁ ତାଙ୍କ ଗାଁ ରୁ ହଟେଇ ଖଣି ଖନନକୁ ବିକାଶ କୁହାଯାଏ ନାହିଁ । ଆଦିବାସୀଙ୍କୁ ଜଙ୍ଗଲ ଦରକାର । ମଙ୍ଗଳ ଦରକାର ନାହିଁ । ଜଙ୍ଗଲରେ ଆମେ ଠିକ ଅଛୁ ବୋଲି ଶ୍ରୀ ବିଶି କହିଥିଲେ । ପଶ୍ଚିମ ଓଡିଶାରେ ସବୁଠାରୁ ଭଲ କପା ଚାଷ ହେଉଛି । ସେଠାରେ ପିଏମ ମିତ୍ର ଯୋଜନାରେ ବୃହତ ସମ୍ୱନ୍ୱିତ ଲୁଗା କାରଖାନା ପ୍ରତିଷ୍ଠା କଲେ ବହୁତ ଯୁବକ ନିଯୁକ୍ତି ପାଇବେ ବୋଲି ଦାବି କରିଥିଲେ । ଓଡିଶା ପାଇଁ କେନ୍ଦ୍ରୀୟ ବଜେଟ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ବୋଲି ସାଂସଦ ଶ୍ରୀ ବିଶି କଟୁ ସମାଲୋଚନା କରିଥିଲେ ।