ବାରିପଦା, (ଦେବସ୍ମିତ ଚୌଧୁରୀ) : ମେଘାସନୀ ମହୋତ୍ସବ -୨୦୨୬ ପାଳନ ଅବସରରେ ବାରିପଦା ସ୍ଥିତ ଛଉ ପଡିଆ-କଲେଜ ପଡିଆ ପରିସର ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଓରମାସ ପକ୍ଷରୁ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉକ୍ତ ରକ୍ତଦାନ ଶିବିରକୁ ଶୁଭ ଉଦଘାଟନ କରି କହିଥିଲେ ଯେ ବର୍ତ୍ତମାନ ପରିବର୍ତ୍ତିତ ସମୟରେ ଥାଲସେମିଆ, ସିକିଲସେଲ ଭଳି ଦୁରାରୋଗ୍ୟ ପାଇଁ ହେଉ କିମ୍ବା ଆକସ୍ମିକ ଦୁର୍ଘଟଣା ପାଇଁ ହେଉ ଅବା ଅନ୍ୟାନ୍ୟ ଅସାଧ୍ୟ ରୋଗର ଜରୁରୀ ଅସ୍ତ୍ରପୋଚାର ପାଇଁ ହେଉ ରୋଗୀର ଅମୂଲ୍ୟ ଜୀବନକୁ ବଞ୍ଚାଇବା ପାଇଁ ବହୁ ସମୟରେ ରକ୍ତର ହଠାତ ଆବଶ୍ୟକତା ଦେଖାଦେଉଛି, ମାତ୍ର ବେଳେବେଳେ ରକ୍ତ ଉପଲବ୍ଧ ନହେବାରୁ ରୋଗୀର ଜୀବନ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡୁଛି । ରକ୍ତଦାନ ଏକ ମହତ ଦାନ ତଥା ଏହା ଏକ ମହା ପୁଣ୍ୟ କର୍ମ । ତେଣୁ ଏଭଳି ଏକ ଉତ୍ସବ ଅବସରରେ ଓରମାସର ଏହି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି କହିଥିଲେ । ଏହି ଅବସରରେ ରକ୍ତଦାତାମାନଙ୍କୁ ଏହି ମହତ ଦାନ ପାଇଁ କୃତଜ୍ଞତା ଜଣାଇବା ସହିତ ସ୍ୱେଛାକୃତ ରକ୍ତଦାନ ପାଇଁ ସଚେତନତାକୁ ବ୍ୟାପକରୁ ବ୍ୟାପକତର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ । ବାରିପଦା ରକ୍ତ ଭଣ୍ଡାରର ଅଧିକାରୀ ଡା. ସୌମ୍ୟ ରଞ୍ଜନ ନାୟକଙ୍କ ତତ୍ୱାବଧାନରେ ଅନ୍ୟାନ୍ୟ ସହକର୍ମୀ ଡା. ନୀଲେଶ ଦାସ, ରୁଚିକା ଖୁରାନା, ସବିତା ଶେଜପଡା, ଭାଗ୍ୟବତୀ ସିଂ ଓ ଶକୁନ୍ତଳା ମହାନ୍ତଙ୍କ ସହଯୋଗରେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଅନୁଷ୍ଠିତ ଶିବିରରେ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଓରମାସର ଡେପୁଟି ସି ଇ ଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତାମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ବାରିପଦା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁଣ୍ଡୁୟା, ଜିଲ୍ଲା ରେଡ଼କ୍ରସ ଶାଖାର ଆଜୀବନ ସଦସ୍ୟ ତଥା ରକ୍ତଦାତା ଅମର କୁମାର ସେଠୀ ପ୍ରମୁଖଙ୍କ ସମେତ ଓରମାସର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସୂଚାରୁ ରୂପେ ଉକ୍ତ ରକ୍ତଦାନ ଶିବିର ପରିଚାଳନା କରିଥିଲେ । ପ୍ରକାଶ ଥାଉକି, ଉକ୍ତ ଶିବିରରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ମେଳାରେ ଲାଗିଥିବା ବିଭିନ୍ନ ଷ୍ଟଲର ଭାଇ ଭଉଣୀମାନେ ମଧ୍ୟ ଆସି ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ସମୁଦାୟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
Prev Post