ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଜଙ୍ଗଲରେ ଅଗ୍ନି ନିରାପତ୍ତା ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ଏକ ରଥ ବାହାରିଛି । ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଲୋକଙ୍କୁ କିପରି ବ୍ୟାପକ ସଚେତନତା କରାଯିବ ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିଏଫଓ ମଦନଲାଲ୍ ଶର୍ମା ସୂଚନା ଦେବା ସହ ଗଣମାଧ୍ୟମର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଶର୍ମା ସାମ୍ୱାଦିକଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଜଙ୍ଗଲ ଅବକ୍ଷୟର ମୁଖ୍ୟ କାରଣ ହେଉଛି ଜଙ୍ଗଲରେ ନିଆଁ ଲାଗିବା । ମହୁଲ ଫୁଲ ଓ ଶାଳ ମଞ୍ଜି ସଂଗ୍ରହ ପାଇଁ ଲୋକେ ଭୂମିର ପତ୍ର ପୋଡି ଦେଉଥିବା, ଜମି ଫସଲ ଉତ୍ପାଦନ ସମୟରେ ନଡ଼ାରେ ନିଆଁ ଲଗାଇବା ଓ ବନ୍ୟ ଜନ୍ତୁ ଶିକାରୀଙ୍କ ଦୌରାତ୍ମ୍ୟ ବା ଉଦ୍ଦେଶ୍ୟ ମୂଳକ ଭାବେ ସେମାନେ ନିଆଁ ଲଗାଉଥିବା ପ୍ରମୁଖ କାରଣ ରହିଛି । ଏଥି ପାଇଁ ଜିଲ୍ଲାରେ ଥିବା ୪୦ ହଜାର ହେକ୍ଟର ଜଙ୍ଗଲ ଜମିର ନିରାପତ୍ତା ଓ ସୁରକ୍ଷା ପାଇଁ ଜଙ୍ଗଲର ନିଆଁକୁ ଆୟତ୍ତ କରିବା ପାଇଁ ଏସ୍ଏଚ୍ଜି, ଭିଏସ୍ଏସ୍ ଗୋଷ୍ଠୀ ସମେତ ସମାଜର ସମସ୍ତ ବର୍ଗର ଲୋକଙ୍କ ସହଯୋଗ କାମନା କରିବୁ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ସବୁ ଲୋକଙ୍କୁ ସଚେତନ କରାଇବୁ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ନିଆଁକୁ ଆୟତ୍ତ କରିବାକୁ ୪୦ ଜଣ ଅଗ୍ନିଶମ ସ୍କ୍ୱାର୍ଡ, ଚାରୋଟି ଭାଇକିଲ ଓ ୬୦ ଗୋଟି ଫାୟାର ବ୍ଲୟୋର୍ ସହ ଜଙ୍ଗଲରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ସୂଚନା ଦେଇଥିଲେ । ଏହା ବ୍ୟତୀତ ସେଟ୍ ଲାଇଟ୍ ଟେକ୍ନୋଲୋଜି ଦ୍ୱାରା ନିରାକରଣ କରା ଯାଇ ପାରିବ ବୋଲି ଶ୍ରୀ ଶର୍ମା କହିଥିଲେ । ଫେବୃଆରୀ ମାସରୁ ଜୁନ୍ ମାସ ମଧ୍ୟରେ ଜଙ୍ଗଲରେ ନିଆଁ ଲାଗୁଥିବା ବିଷୟ ସୂଚନା ଦେଇ ଏହାର ନିରାକରଣ ପାଇଁ ସମସ୍ତ କେନ୍ଦୁଲିଫ ବିଭାଗ ସହ ମଧ୍ୟ କୋର୍ଡିନେଟ କରାଯାଇଛି ବୋଲି କହିଥିଲେ । ସାଧାରଣ ଲୋକଙ୍କୁ ବ୍ୟାପକ ସଚେତନ କରିବାକୁ ଜିଲ୍ଲା ବନଖଣ୍ଡ ବିଭାଗ ଅଧିକାରୀ ଶ୍ରୀ ଶର୍ମା ସଚେତନତା ରଥକୁ ଶୁଭାରମ୍ଭ କରିଥିବା ବେଳେ ସୋନପୁର ବନାଞ୍ଚଳ ଅଧିକାରି ସୁବାଷ ମହାପାତ୍ର, ଫରେଷ୍ଟର ଭକ୍ତବନ୍ଧୁ ମିଶ୍ରଙ୍କ ସମେତ ଜିଲ୍ଲାର ବିଭିନ୍ନ ରେଞ୍ଜର ଫରେଷ୍ଟର ଏଠାରେ ଉପସ୍ଥିତ ଥିଲେ । ପେଟ୍ରୋଲିଙ୍ଗ ଡ୍ୟୁଟିରେ ନିୟୋଜିତ ଥିବା ସମସ୍ତ କର୍ମଚାରୀଙ୍କ ସୁରକ୍ଷା ଓ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଥିବା ବିଷୟ ମଧ୍ୟ ଡିଏଫ୍ଓ ଶ୍ରୀ ଶର୍ମା ଆଜିର ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।