ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଫାଇଲେରିଆ ନିରାକରଣ ଅଭିଯାନ ଚଳିତ ବର୍ଷ ଫେବୃଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ଶାସ୍ତ୍ରୀନଗର, କନ୍ଧପାଲିପଡା ଓ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୦୧ ତାରିଖ ପର୍ଯ୍ୟନ୍ତ ଆଗଲପୁର ବ୍ଲକରେ ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଭାବେ ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ପରିବାର କଲ୍ୟାଣ ଅଧିକାରୀ ଡାଃ. ପୁଷ୍ପାଞ୍ଜଳି ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମ୍ରିତ କୁମାର ପଣ୍ଡା ମଞ୍ଚାସୀନ ଥିଲେ । ଏହାସହ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଚିକିତ୍ସା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ପରିବାର କଲ୍ୟାଣ କାର୍ଯ୍ୟାଳୟର ବୈଠକ ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ପରିବାର କଲ୍ୟାଣ ଅଧିକାରୀ ଡାଃ. ପୁଷ୍ପାଞ୍ଜଳି ମିଶ୍ର ନିଜର ବିବୃତିରେ ଫେବୃଆରୀ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ବସବାସ କରୁଥିବା ମୋଟ ୫୮୨୫୨ ଓ କନ୍ଧପାଲିପଡାର ୫୬୬୮୯ଙ୍କୁ ଓ ଫେବୃଆରୀ ୨୦ ତାରିଖରୁ ମାର୍ଚ୍ଚ ୦୧ ତାରିଖ ପର୍ଯ୍ୟନ୍ତ ଆଗଲପୁର ବ୍ଲକର ମୋଟ ୧୦୪୯୭୭ଜଣଙ୍କୁ ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୌରପରିଷଦରେ ୨୧୮ ଓ ଆଗଲପୁର ୩୪୮ଜଣ ଆଶା, ଅଙ୍ଗନବାଡି ଓ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରାଯାଇଛି, ଯେଉଁମାନେ ଘରକୁ ଘର ବୁଲି ନିଜ ସମ୍ମୁଖରେ ବୟସ ଅନୁଯାୟୀ ବଟିକା ଲୋକଙ୍କୁ ସେବନ କରେଇବେ । ୨ରୁ ୫ ବର୍ଷ ଶିଶୁଙ୍କୁ କେବଳ ଡିଇସି ସହିତ ALBENDAZOLE ବଟିକା ଖୁଆଇବେ ଓ ୬ ବର୍ଷ ରୁ ଉର୍ଦ୍ଧ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ IVERMECTIN, DEC ସହିତ ALBENDAZOLE ଖୁଆଇବେ । ଏଥି ପାଇଁ ବଲାଙ୍ଗିର ପୌରପରିଷଦ ଅଞ୍ଚଳରେ ୧୦୯ଟି ଟିମ, ୨୦ଜଣ ସୁପରଭାଇଜର, ୫୬ଟି ଭ୍ରାମ୍ୟମାଣ ଔଷଧ ନିରୀକ୍ଷକ, ୧ଗୋଟି ରେପୀଡ ରେସପୋନ୍ସ ଟିମ, ୪ଟି ସୋସିଆଲ ମୋବିଲିଜର ଗଠନ କରାଯାଇଛି । ସେହିପରି ଭାବେ ଆଗଲପୁର ବ୍ଲକରେ ୧୭୪ଟି ଟିମ, ୩୪ଜଣ ସୁପରଭାଇଜର, ୬ଟି ଭ୍ରାମ୍ୟମାଣ ଔଷଧ ନିରୀକ୍ଷକ, ୩ଟି ରେପୀଡ ରେସପୋନ୍ସ ଟିମ, ୬ଟି ସୋସିଆଲ ମୋବିଲିଜର ଗଠନ କରାଯାଇଛି । କେବଳ ଗର୍ଭାବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ଓ ଅତିଶୟ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତି ମାନଙ୍କୁ ଛାଡି ସମସ୍ତେ ଏହି ବଟିକା ଖାଇବେ । ଏହା ଦ୍ୱାରା, ମାଇକ୍ରୋ ଫାଇଲେରିଆ ପରଜୀବୀକୁ ମାରି ଦିଆଯାଇପାରିବ ଏବଂ ଭବିଷ୍ୟତରେ ଗୋଦରଗୋଡ ବା ଅନ୍ୟାନ୍ୟ ଫାଇଲେରିଆସିସ ରୋଗକୁ ରୋକାଯାଇପାରିବ । ବଟିକା ସେବନ ପରେ ଯଦି କିଛି ଅସୁବିଧା ଦେଖା ଦିଏ, ତୁରନ୍ତ ଆଶା କିମ୍ବା ଅଙ୍ଗନବାଡି ଦିଦିଙ୍କୁ ଜଣେଇବେ । ରେପୀଡ ରେସପୋନ୍ସ ଟିମ ପ୍ରତି ୟୁନିଟ ପାଇଁ ବ୍ୟବସ୍ଥା କରାଯାଇଛି, ସେମାନେ ତୁରନ୍ତ ପହଂଚି ସ୍ଵାସ୍ଥ୍ୟ ସୁବିଧା ଯୋଗେଇପାରିବେ । ଆୟୁର୍ବେଦ ମହାବିଦ୍ୟାଳୟ ଓ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ସାର୍ବଜନୀନ ବାତଜ୍ଵର ଔଷଧ ସେବନ କାର୍ଯ୍ୟକ୍ରମରେ ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ଡିପିଏଚଓ, ଡାଃ. ଯଦୁମଣି ନାୟକ, ଏଡ଼ିପିଏଚଓ, (ଭିବିଡି), ଡାଃ. ନମିତା ମିଶ୍ର, ଜେଡସି, ହୁ, ଏନଟିଡି, ଡାଃ.ଶ୍ୟାମ ବନ୍ଧୁ ରଥ, ଡିପିଏମ, ଜେ ରାଜେଶ୍ଵର ରାଓ ପଟ୍ଟନାୟକ, ଜିଲ୍ଲା ଭିବିଡି ସୁରେଶ ସ୍ଵାଇଁ, ଚିନ୍ମୟ ମହନ୍ତ, ଶ୍ରୀକାନ୍ତ ଯୋଶୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଔଷଧ ସେବନ ପ୍ରକ୍ରିୟାରେ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ସହ ଜିଲ୍ଲାକୁ ଫାଇଲେରିଆ ରୋଗ ମୁକ୍ତ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ପରିବାର କଲ୍ୟାଣ ଅଧିକାରୀ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରିଥିଲେ ।
Next Post