ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋଟିଏ ନାରା, କେହି ନାହିଁ ଯାହାର, ଆମେ ଅଛୁ ତାହାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି, ବିପଦର ବନ୍ଧୁ ସିଏ, ଯିଏ ରାଜ ଦ୍ୱାରରୁ ଶ୍ମଶାନ ପର୍ୟ୍ୟନ୍ତ ସାଥିରେ ଛିଡ଼ା ହୋଇଥାଏ । ଆଜି ସେହିଭଳି ବନ୍‌ନ୍ଧୁଟିଏ ଭାବେ ନିଃସହାୟମାନଙ୍କ ସହ ଠିଆ ହୋଇଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ଏହି ସଂଗଠନର ଗୋଟିଏ ଲକ୍ଷ୍ୟ ହେଉଛି ନିଃସହାୟଙ୍କୁ ସେବା ଯୋଗାଇବା । ଅଜଣା ଓ ନିଃସହାୟ ଲୋକଙ୍କ ଶବଦାହ ହୋଇ ପାରୁ ନଥିଲେ ସାମାଜିକ ରୀତିନୀତିରେ ଅନ୍ତିମ ସତ୍କାର ପାଇଁ ଅଂଟା ଭିଡ଼ି ପ୍ରସ୍ତୁତ ହୋଇଯାଏ ଏହି ସଂଗଠନ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଏଭଳି ଖବର ପାଇଲା ମାତ୍ରେ ହିଁ ଦେବଦୂତ ପରି ପହଞ୍ଚି ଯାଆନ୍ତି ଅଜଣା ପରିତ୍ୟକ୍ତ ଶବ ପାଖକୁ ଏବଂ ବନ୍ଧୁଟିଏ ହୋଇ ସବୁ ନୀତିନିୟମ ଅନୁସାରେ ସଂସ୍କାର କରନ୍ତି ଅସହାୟ ଅଜଣା ଶବ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସମସ୍ତ ସଦସ୍ୟଙ୍କ ଆଜି ପର୍ୟ୍ୟନ୍ତ ଥକିନାହିିଁ କାନ୍ଧ, ହାର ମାନିନି ଶବ ସତ୍କାର କରିବା ନିଶା । ନିଃସହାୟ ସହ ବନ୍ଧୁଟିଏ ହୋଇ ଛିଡ଼ା ହେବାର ଆତ୍ମୀୟତାରେ ମହା ଆନନ୍ଦ ସାଉଁଟୁଛି ଏହି ସଂଗଠନ । ଗୋଟିଏ ମାସରେ ପ୍ରାୟ ୧୦ ଗୋଟି ଅଜଣା ଶବ ସତ୍କାର କରି ସାରିଛନ୍ତି ବଲାଙ୍ଗିରର ସ୍ୱେଚ୍ଛାସେବୀ ସଂଗଠନ । ଜନସାଧାରଣଙ୍କ ଭଲପାଇବା, ସ୍ନେହ, ଶ୍ରଦ୍ଧା ଓ ସହଯୋଗ ଏହି ସଂଗଠନକୁ ଆଣିଦେଇଛି ପ୍ରେରଣା ଓ ସାହସ । ପ୍ରାୟ ସାତ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବଲାଙ୍ଗୀର ସ୍ବେଚ୍ଛାସେବୀ ସଂଗଠନ ଆଜିକୁ ପ୍ରାୟ ୭୦୦ରୁ ଅଧିକ ଅଜଣା, ଅଚିହ୍ନା ଶବ ସତ୍କାର କରି ସାରିଥିବା କୁହାଯାଇଛି । ସଂଗଠନ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ପ୍ରାୟ ସବୁବେଳେ ବଲାଙ୍ଗିର ମ୍ୟୁନିସିପାଲଟି ସଫେଇ ଠିକାଦାର ମନୋଜ ଦୀପ ଜେସିବି ଯୋଗାଇ ଦେଉଛନ୍ତି, ବଲାଙ୍ଗିର ମ୍ୟୁନିସିପାଲଟି ପୌରଧ୍ୟକ୍ଷା ଲିକା ସାହୁ ମଧ୍ୟ ପ୍ରାୟ ସବୁ ସମୟରେ ଶବ ସତ୍କାର କରିବା ପାଇଁ  କାଠ ଓ ଅନ୍ୟାନ୍ୟ ସାମଗ୍ରୀ ସବୁବେଳେ ଯୋଗାଇ ଦେଇ ଆସୁଛନ୍ତି, ଏଣୁ ସେମାନଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.