ସଚ୍ଚିଦାନନ୍ଦ ସ୍ମୃତି ସମିତିର ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତି, ଛେଣ୍ଡ ତରଫରୁ ଓଡିଆ ସାହିତ୍ୟର ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଆଲୋଚନାଚକ୍ର ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମିତିର ଆବାହିକା ଶର୍ମିଷ୍ଠା କବି ଶତପଥୀଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ରାଜୀବ ପାଣି ସଭାପତିତ୍ୱ କରିଥିଲାବେଳେ ଆଲୋଚିକା ଭାବେ ଡ. ସରୋଜିନୀ ପତି ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ଡ. ପତି ତାଙ୍କ ବକ୍ତବ୍ୟରେ କହିଲେ ଯେ ଆଧ୍ୟାତ୍ମିକ ସାହିତ୍ୟ ଜଗତରେ ସମ୍ମାନ ସ୍ପଦ ସ୍ଥାନରେ ଭାଗବତ ରହିଛି । ଶାସ୍ତ୍ର ଆମର ମାର୍ଗଦର୍ଶକ ତଥା ସେ ଆମକୁ ଶାସନ କରନ୍ତି । ସେହିପରି ନମ୍ରତା ହେଉଛି ବୈଷ୍ଣବଙ୍କର ଲକ୍ଷଣ । ବିଷୟର ଅନ୍ୟନାମ ପ୍ରୟାସ, ଏହାସହ ଐକାନ୍ତିକ ଭକ୍ତି, ପ୍ରୟୋଜନ ତତ୍ୱ, ମାଧୁର୍ଯ୍ୟ ଲୀଳା, ସୁଧା ଭକ୍ତି, ଜ୍ଞାନଭକ୍ତି, ତଥା ଜଗନ୍ନାଥ ଦାସଙ୍କ କୃତ୍ତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆବାହକ ଶ୍ରୀମତୀ କବି ଶତପଥୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ସଭାପତି ଶ୍ରୀ ପାଣି ପ୍ରଥିତଯଶା କବି ଜଗନ୍ନାଥ ଦାସଙ୍କ କୃତି କିପରି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି ସେ ସମ୍ପର୍କରେ ମତ ରଖିଥିଲେ । ଶେଷରେ ଆଲୋକ ରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ଅନୁଷ୍ଠାନର ତଥା ବହୁ ସାହିତ୍ୟନୁରାଗୀ, ଶିକ୍ଷାବିତ, କବି ଯୋଗଦେଇଥିଲେ ।

Leave A Reply

Your email address will not be published.