ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ତଥା ସ୍ଥାନୀୟ ଉପଜିଲ୍ଲାପାଳ ପ୍ରଣୀତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ ଭୋସଲେ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ଉପସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଖେଳ ଏଫ୍ସି ସମ୍ବଲପୁର ସହ ଡାଇମଣ୍ଡ କ୍ଲବ ଖୋର୍ଦ୍ଧା ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସମ୍ବଲପୁର ୪-୧ରେ ବିଜୟୀ ହୋଇଥିଲା । ଏଥିରେ ସମ୍ବଲପୁର ଦଳର ବିଜୁ ଓରାମଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ଉଦଘାଟନ ଖେଳକୁ ମୁଖ୍ୟ ରେଫେରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ, ବିଶ୍ଵନାଥ କହଁର, ସୁନୀଲ କୁମାର ବେହେରା ଓ କାମାକ୍ଷା ପ୍ରସାଦ ପ୍ରଧାନ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ । ୫ ତାରିଖ ଦ୍ୱିତୀୟ ଦିନର ମ୍ୟାଚ୍ ଢେଙ୍କାନାଳ ସହ ସୁନ୍ଦରଗଡ଼ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ୍ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ – ଜଟଣୀ, ଜଗା ୟୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ୍ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ । ୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନର ମ୍ୟାଚ୍ ଅପରାହ୍ନ ୨ଟା ୩୦ମି.ରେ ଆରମ୍ଭ ହେବାକୁ ଥିବାବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଅପରାହ୍ନ ୨ଘଣ୍ଟାରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି । ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, ଗଙ୍ଗାଧର ପଣ୍ଡା, ସୁଶାନ୍ତ କୁମାର ସାହୁ କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।