ମା’ ପାଟଣେଶ୍ୱରୀ ପୁସ୍ତକ ଉନ୍ମୋଚିତ : ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧ ତାରିଖ ରୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଣେଶ୍ୱରୀ ମନ୍ଦିର ବଲାଙ୍ଗିରରେ ପ୍ରତିଷ୍ଠିତ ହେବାର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା । ବୁଧବାର ଉଦ୍‌ଯାପନୀ ସମାରୋହରେ ପାଟଣା ମହାରାଜ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସୁରକ୍ଷା କମିଟିର କୋଷାଧ୍ୟକ୍ଷ ଭବାନୀ ଶଙ୍କର ଭୋଇ ସମ୍ମାନିତ ଅତିଥି ରୂପେ ମଂଚାସୀନ ହୋଇଥିଲେ । କମିଟିର କମିଟିର ସଂପାଦକ ପ୍ରଶାନ୍ତ ମହାକୁର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭାକୁ ଅର୍ଜୁନ ସାହୁ ପରିଚାଳନା କରିଥିଲେ । ସଭାପତି ଜୟକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମହାରାଜ ସିଂହଦେଓ ପ୍ରଥମେ ମା’ ପାଟଣେଶ୍ୱରୀଙ୍କ ଦର୍ଶନ କଲା ପରେ ତିନିଦିନ ବ୍ୟାପି ଚାଲିଥିବା ଯଜ୍ଞରେ ଆହୁତି ପ୍ରଦାନ ପୂର୍ବକ ଯଜ୍ଞର ପୂର୍ଣ୍ଣାହୁତି କରିଥିଲେ । ପରେ ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ସ୍ୱର୍ଗତ ପୃଥ୍ୱୀରାଜ ସିଂହଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭାରେ ମଂଚାସୀନ ଅତିଥିମାନେ ମହୋତ୍ସବର ସ୍ମରଣିକା ‘ମା’ ପାଟଣେଶ୍ୱରୀ’କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଡ. ସୀମାରାଣୀ ରଥଙ୍କ ରଚିତ ଗବେଷଣା ପୁସ୍ତକ ‘ଜ୍ଞାନୋଦୟ ଦ ଡନ୍‌ ଅଫ ତାନ୍ତ୍ରିକ ୱିଜଡମ୍‌ ଫ୍ରମ ଓଡିଶା’କୁ ମଧ୍ୟ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଏହି ଅବସରରେ ମଂଚାସୀନ ସମସ୍ତ ଅତିଥି ସମେତ ଚାରି ଦିନ ବ୍ୟାପି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଓ ସଂଗଠନକୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସ୍ମରଣିକାର ମୁଖ୍ୟ ସଂପାଦକ ଜୟକୁମାର ଆଚାର୍ଯ୍ୟଙ୍କ ସମେତ ସମସ୍ତ ସଂପାଦନା ମଣ୍ଡଳି ସଦସ୍ୟ ଓ ଦେବାଳୟ ସୁରକ୍ଷା କମିଟିର ସଦସ୍ୟ ରିଣ୍ଟୁ ସାହୁ, ଶମ୍ଭୁ ଶତପଥୀ, ଅଭିନାଶ ଦିଶ୍ରୀ, ଉକାଲୁ ସା ପ୍ରମୁଖ ଶତାଧିକ ବ୍ୟକ୍ତି ଓ ମାତୃ ସମାଜ ଉପସ୍ଥିତ ଥିଲେ । ସକାଳେ ବିଭିନ୍ନ ଦେବୀ ପୀଠରୁ ଆସିଥିବା ବରୁଆମାନେ ନଗର ଭ୍ରମଣ ପୂର୍ବକ ମା’ ପାଟଣେଶ୍ୱରୀଙ୍କ ଦର୍ଶନ କରିଥିଲେ । ୮୪ ଘର ଜିଲ୍ଲା ଅଘରିଆ ସମାଜ ପକ୍ଷରୁ ସମସ୍ତଙ୍କ ପାଇଁ ୧୦ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟ ଅତିଥି କନକ ବର୍ଦ୍ଧନ ସିଂଦେଓ ଓ ସମ୍ମାନିତ ଅତିଥି କଳିକେଶ ନାରାୟଣ ସିଂହଦେଓ ତାଙ୍କ ଅଭିଭାଷଣରେ କହିଲେ ଯେ, ମା’ ସମଲେଶ୍ୱରୀ ଚୌହାନ ବଂଶର କୂଳଦେବୀ ହୋଇଥିବା ବେଳେ ମା’ ପାଟଣେଶ୍ୱରୀ କେଉଁ ଅନାଦିକାଳରୁ ପାଟଣାରାଜ୍ୟର ଅଧିଷ୍ଠାତ୍ରୀ ଦେବୀ । ତେଣୁ କେବଳ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସମାରୋହକୁ ସୀମିତ ନ କରି ପ୍ରତି ବର୍ଷ ପାଟଣେଶ୍ୱରୀ ମହୋତ୍ସବ ଆୟୋଜନ କରାଯିବା ଉଚିତ । ତିନି ଦିନ ବ୍ୟାପି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପଂଚମ ଅନୁଷ୍ଠାନ ଦ୍ୱାରା ଭଜନ ସମାରୋହ, ରୁଗୁଡିପଡା ଦୁର୍ଗାପୂଜା କମିଟି ମହା ଆଳତି, ପରାୟଣ ଗାୟକ ଇପ୍‌ସିତ ମିଶ୍ରଙ୍କ ସତସଙ୍ଗ, ସମ୍ବଲପୁର କଳାକେନ୍ଦ୍ର, ସଂଜ୍ୟୋତ କଳା କେନ୍ଦ୍ର ଦ୍ୱାରା ଲୋକନୃତ୍ୟ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.