ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଫେବୃଆରୀ, ୨୦୨୬ ରାଇରଙ୍ଗପୁରଠାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ ଉଦଘାଟନ କରିଛନ୍ତି। ଏଥିସହିତ ସେ ଆୟୁଷ ହସ୍ପିଟାଲ ତଥା ଆୟୁର୍ବେଦିକ କଲେଜ, ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ, ଧନୁର୍ବିଦ୍ୟା କେନ୍ଦ୍ର, ସହର ସୌନ୍ଦର୍ଯ୍ୟକରଣ ଏବଂ ଜଳ ନିଷ୍କାସନ ଉନ୍ନତିକରଣ ପ୍ରକଳ୍ପ, ପ୍ରେକ୍ଷାଳୟ ଓ ସାଂସ୍କୃତିକ କେନ୍ଦ୍ର, ଛାତ୍ରୀନିବାସ ଏବଂ ନିଶା ନିବାରଣ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ, ଭାରତ ସରକାରଙ୍କ ପୂର୍ବୋଦୟ ଦୃଷ୍ଟିକୋଣ ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଇଥାଏ । ମୟୂରଭଞ୍ଜ ଜିଲ୍ଲା ଏହି ଦୃଷ୍ଟିକୋଣରୁ ଯଥେଷ୍ଟ ଲାଭ ପାଉଛି। ଏହି ବିକାଶମୂଳକ ପ୍ରକଳ୍ପ, ପ୍ରତିଷ୍ଠାନ ଏବଂ ଯୋଜନାଗୁଡ଼ିକ ସ୍ଥାନୀୟ ଅଞ୍ଚଳକୁ ଲାଭାନ୍ୱିତ କରିବ ଏବଂ ଏଠାକାର ଲୋକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ ।
ରାଷ୍ଟ୍ରପତି କହିଥିଲେ, ଭାରତ ସରକାର ଆଦିବାସୀ ଭାଇଭଉଣୀମାନଙ୍କ ଆର୍ଥିକ ବିକାଶ ପାଇଁ ବିଶେଷ ପ୍ରୟାସ କରୁଛି। ପ୍ରଧାନମନ୍ତ୍ରୀ ବନ ଧନ ଯୋଜନା ମାଧ୍ୟମରେ ୯୦ ରୁ ଅଧିକ କ୍ଷୁଦ୍ର ବନଜାତ ଦ୍ରବ୍ୟ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । କ୍ଷୁଦ୍ର ଋଣ ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଆଦିବାସୀ ସଦସ୍ୟମାନଙ୍କୁ ଋଣ ଯୋଗାଇ ଦିଆଯାଉଛି। ସେହିପରି ଅନୁସୂଚିତ ଜନଜାତି ମହିଳା ସଶକ୍ତିକରଣ ଯୋଜନା ଅଧୀନରେ ଆଦିବାସୀ ମହିଳାଙ୍କୁ କମ ସୁଧରେ ଋଣ ପ୍ରଦାନ ସରକାରଙ୍କ ପ୍ରତିବଦ୍ଧତାର ଉଦାହରଣ। ସରକାର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ସୁବିଧା ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି। ପିଭିଟିଜି ସମ୍ପ୍ରଦାୟଗୁଡ଼ିକର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକୁ ବିଦ୍ୟୁତକରଣ କରାଯାଇଛି ଏବଂ ଦୁର୍ଗମ ଅଞ୍ଚଳରେ ଫୋର୍ ଜି ଇଣ୍ଟରନେଟ୍ ସଂଯୋଗ ଯୋଗାଇ ଦିଆଯାଇଛି। ଏହି ପ୍ରୟାସ ସହିତ, ଆଦିବାସୀ ଅଞ୍ଚଳରେ ସାମଗ୍ରିକ ବିକାଶର ଧାରା ପ୍ରବାହିତ ହେଉଛି।
ରାଷ୍ଟ୍ରପତି କହିଥିଲେ, ଆଦିବାସୀ ସମ୍ପ୍ରଦାୟର ବିକାଶ ମାଧ୍ୟମରେ ହିଁ ସବୁଠାରୁ ଗରିବ ଲୋକଙ୍କ ଉନ୍ନତିର ଲକ୍ଷ୍ୟ ହାସଲ କରାଯାଇପାରିବ। ସମସ୍ତ ସରକାରୀ କଲ୍ୟାଣ ଓ ବିକାଶମୂଳକ ଯୋଜନାର ଲାଭ ଆଦିବାସୀ ସମ୍ପ୍ରଦାୟକୁ ଯୋଗାଇ ଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କୁ ସେହି ଯୋଜନାଗୁଡ଼ିକର ଲାଭ ଉଠାଇ ଅନ୍ୟମାନଙ୍କୁ ସଚେତନ କରିବାକୁ ରାଷ୍ଟ୍ରପତି ଆହ୍ୱାନ କରିଥିଲେ। ସେ କହିଥିଲେ, ଏହା ସ୍ଥାନୀୟ ବିକାଶ ସୁନିଶ୍ଚିତ କରିବା ସହିତ ରାଜ୍ୟର ବିକାଶରେ ଯୋଗଦାନ କରିବ। ଶେଷରେ ଏହା ଦେଶର ବିକାଶକୁ ଆଗେଇ ନେବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆମ ସଂକଳ୍ପ କେବଳ ସରକାର ଏବଂ ନାଗରିକଙ୍କ ସାମୂହିକ ପ୍ରୟାସ ଦ୍ୱାରା ପୂରଣ ହେବ ବୋଲି ରାଷ୍ଟ୍ରପତି ଜୋର ଦେଇ କହିଥିଲେ ।

Leave A Reply

Your email address will not be published.