ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାରା ଦେଶରେ ୟୁଜିସି ବିଲକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସମାଜରୁ ଜାତିଭେଦ ଦୂରେଇଥିବା ବେଳେ ନିଜେ କେନ୍ଦ୍ର ସରକାର ଜାତିଭେଦ ପ୍ରଥାକୁ ପ୍ରୋତ୍ସାହିତ କରୁଛନ୍ତି । ବିଲରେ ଯେଉଁଭଳି ବ୍ୟବସ୍ଥା ରହିଛି କେବଳ ବ୍ରାହ୍ମଣମାନେ ଦୋଷୀ ବୋଲି ସିଧାସଳଖ ସରକାର ବିଚାର କରିଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଥ୍ୟା ଓ ତୃଟିପୂର୍ଣ୍ଣ ବୋଲି କହି ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରାଯାଇଛି । ବ୍ରାହ୍ମଣ ମହାସଭାରେ ଜିଲ୍ଲା ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀ, ଉପସଭାପତି କିଶୋର କୁମାର ପୁରୋହିତ, ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ନଗର ସଭାପତି ରାକେଶ ପଣ୍ଡା, ସଦସ୍ୟ କାହ୍ନା ଶତପଥି, ବରିଷ୍ଠ ସଦସ୍ୟ ଶିବ ଶଙ୍କର ଖୁଆସ, ଲୋକନାଥ ନେପାକ, ପର୍ଶୁରାମ ନାୟକ ଓ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଶତାଧିକ ସଭ୍ୟସଭ୍ୟା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ୟୁଜିସି ବିଲକୁ କେନ୍ଦ୍ର ସରକାର ତୁରନ୍ତ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର ଦାବିରେ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୟୁଜିସି କେବଳ ଭୋଟବ୍ୟାଙ୍କ ସୃଷ୍ଟି ପାଇଁ କରାଯାଇଛି । ବିଲରେ ଜାତିଗତ ବିଦ୍ୱେଶ ସୃଷ୍ଟି କରାଯାଇ ଦେଶକୁ ଭୁଲ ରାସ୍ତାରେ ନେବାକୁ ଉଦ୍ୟମ ହେଉଛି । ଆଜି ପର୍ଯ୍ୟନ୍ତ ଏସ୍ସି/ଏସ୍ଟି ଆଟ୍ରୋସିଟିର ବହୁଳ ମାତ୍ରାରେ ଅପବ୍ୟବହାର ହେଉଛି ଓ ଏହି ବିଲ ଆସିଲେ ବିଶ୍ୱ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆହୁରି ବିଭେଦ ସୃଷ୍ଟି ହେବାକୁ ଯାଉଛି । ବିଲରେ ଏସ୍ସି/ଏସ୍ଟି, ଓବିସି ବର୍ଗର ସଭ୍ୟ ଇକ୍ୟୁଟି କମିଟିରେ ରଖାଯାଇଥିବା ବେଳେ ସାଧାରଣ ବର୍ଗର ସଭ୍ୟ ରଖିବାରେ ପ୍ରାବଧାନ ନାହିଁ । ସମ୍ବିଧାନରେ କୌଣସି ଜାତି, ବର୍ଣ୍ଣ ଓ ଧର୍ମକୁ ନେଇ ବିଭେଦ କରାଯାଇପାରିବ ନାହିଁ ବୋଲି ନିୟମ ରହିଥିବା ବେଳେ ଏହି ୟୁଜିସି ବିଲ ଏହି ନିୟମକୁ ବିରୁଦ୍ଧାଚରଣ କରୁଛି । ତେଣୁ ତୁରନ୍ତ ଏଭଳି ବିବାଦୀୟ ବିଲକୁ ପ୍ରତ୍ୟାହାର କରାଯାଉ ବୋଲି ବ୍ରାହ୍ମଣ ମହାସଭା ଦାବି କରିଛି । ନଚେତ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ସରକାରଙ୍କ ପାଖେ ଦୃଷ୍ଟି ଆକର୍ଷଣ କରୁଛି । ଏହି କାର୍ଯ୍ୟକ୍ରମରେ ବ୍ରାହ୍ମଣ ମହାସଭାର ଶତାଧିକ ସଭ୍ୟସଭ୍ୟା ଯୋଗ ଦେଇଥିଲେ ।
Prev Post