କଣ୍ଟାବାଞ୍ଜି, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଛୁଆ ଚୋରି ଉଦ୍ୟମ ଅଭିଯୋଗରେ ଜଣେ ଅଟକ । କଣ୍ଟାବାଞ୍ଜି ସହର ୱାର୍ଡ ନମ୍ବର–୧୫ରେ ଛୁଆ ଚୋରି ଉଦ୍ୟମ ଅଭିଯୋଗରେ ଜଣେ ଅଜଣା ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି । ସୂଚନା ଅନୁଯାୟୀ, କାଉନସିଲର ସୁନିତା ବୁଡେକ୍ ଓ ତାଙ୍କ ପଡ଼ିଶାର ଜଣେ ଛୋଟ ଝିଅ ଏକ ଦୋକାନରେ ବସିଥିବା ସମୟରେ ଏକ ଅଜଣା ବ୍ୟକ୍ତି ସେଠାକୁ ଆସି ଚକ୍ଲେଟ ଦେବା ଓ ଅନ୍ୟ ଗାଁକୁ ବୁଲେଇ ନେବା କଥା କହି ଦୁଇ ଝିଅଙ୍କୁ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରିଥିଲେ । ବ୍ୟକ୍ତିଙ୍କୁ ଦେଖି ଭୟଭୀତ ହୋଇ ଦୁଇ ଝିଅ ଚିତ୍କାର କରିବା ପରେ ପଡ଼ୋଶୀ ଲୋକେ ଘଟଣାସ୍ଥଳରେ ପହଞ୍ଚି ଝିଅମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେହି ବ୍ୟକ୍ତିଙ୍କୁ ଧରି କଣ୍ଟାବାଞ୍ଜି ରେଲୱେ ପୋଲିସଙ୍କ ହସ୍ତାନ୍ତର କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଥିବା ବେଳେ ପୋଲିସ ସଚେତନ ରହିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ।