ଓଡ଼ିଶାର ଆଦିବାସୀ ଭାଷା କୋଶଲି, ସଉରା, କୁଇ, ହୋ, ମୁଣ୍ଡାରୀ, ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବାକୁ ରାଜ୍ୟସଭାରେ ଦାବି

  • ରାଜ୍ୟସଭାରେ ଉଠିଲା କୋଶଲ ରାଜ୍ୟ ଏବଂ କୋଶଲି ଭାଷା ପ୍ରସଙ୍ଗ
  • ସଂସଦରେ ପ୍ରକମ୍ପିତ ହେଲା “ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ “

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସମ୍ବିଧାନର ଅଷ୍ଟମ ଅନୁସୂଚୀରେ କୋଶଲି/ ସମ୍ବଲପୁରୀ, ସଉରା, କୁଇ, ମୁଣ୍ଡାରୀ, ହୋ, ଭୂମିଜ ଆଦିବାସୀ ଭାଷାକୁ ସାମିଲ କରିବାକୁ ସାଂସଦ ନିରଞ୍ଜନ ବିଶି ରାଜ୍ୟସଭାରେ ଦୃଢ଼ ଦାବି କରିଛନ୍ତି । ସାଂସଦ ଶ୍ରୀ ବିଶି କହିଲେ ମାତୃଭୂମି, ମାତୃଭାଷା, ମାଆର ଭାଷା, ମାଟିର ଭାଷା, ଆମର ଜାତିର ପରିଚୟ ଦେଶର ବୈଭବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଶଲି ସମ୍ବଲପୁରୀ, ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ ଭାଷାକୁ ସମ୍ବିଧାନରେ ୮ମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଭାରତ ସରକାରଙ୍କୁ ସୁପାରିଶ କରିଥିଲେ । କୋଶଳାଞ୍ଚଳ ତଥା ପଶ୍ଚିମ ଓଡିଶାରେ ୨ କୋଟି ଲୋକ କୋଶଲି ଭାଷା କହୁଛନ୍ତି । ପଶ୍ଚିମାଞ୍ଚଲର ବଲାଙ୍ଗିର, ବରଗଡ଼, ଦେବଗଡ଼, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା, ସୋନପୁର, ବୌଦ୍ଧ, ଆଠମଲ୍ଲିକ ଅଞ୍ଚଳରେ କୋଶଲି /ସମ୍ବଲପୁରୀ ଭାଷାର ବହୁଳ ପ୍ରଚଳନ ହେଉଛି । ପଶ୍ଚିମ ଓଡିଶା କୋଶଲ ରାଜ୍ୟରେ ସାମିଲ ଥିଲା । ତେଣୁ କୋଶଲି ଭାଷାର ପ୍ରଭାବ ରହିଛି । ଏହି ଭାଷାରେ ପଢ଼ିବା ପାଇଁ, ଲେଖିବା ପାଇଁ, ପ୍ରତିଯୋଗିତା ମୂଳକ ପରୀକ୍ଷାରେ ମୌଖିକ ଉତ୍ତର ପାଇଁ ମାତୃଭାଷାକୁ ସରକାର ୮ମ ଅନୁସୂଚୀରେ ସାମିଲ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ଦାବି କରିଥିଲେ । ସେହିପରି ୧୫ ଲକ୍ଷ ଆଦିବାସୀ ସମ୍ପ୍ରଦାୟର ଶବର, ସଉରା, ଲାଞ୍ଜିଆ ସଉରା, ଜାରା ଶବର, କିରକ୍ଷତ ଶବର, ବିରାଟ ଶବର, ବେସୁ ସଉରା, ଲମ୍ବା ଲାଞ୍ଜିଆ ସଉରା, ଆର୍ଶୀ ସଉରା, ଭିମା ସଉରା, ସୁଦ୍ଧ ସଉରା, ଏହି ସଉରା ଭାଷା କହୁଛନ୍ତି । ଓଡିଶାରେ କୁଇ ଭାଷାକୁ ଆଦିବାସୀ କନ୍ଧ, ଡଙ୍ଗରିଆ କନ୍ଧ, ରାଜା କନ୍ଧ, ବୁଡ଼ା କନ୍ଧ, ସୀତା କନ୍ଧ ସମ୍ପ୍ରଦାୟର ଲୋକ ମଧ୍ୟରେ ବହୁଳ ବ୍ୟବହାର କରୁଛନ୍ତି । ମୁଣ୍ଡା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ମାତୃଭାଷା ମୁଣ୍ଡାରୀ ଭାଷା । ଏହି ଭାଷାରେ ଭଗବାନ ବିର୍ସାମୁଣ୍ଡା ଉଦବୋଧନ ଦେଉଥିଲେ । ଆଦିବାସୀ ନେତା କ୍ରାନ୍ତିବୀର ବିର୍ସାମୁଣ୍ଡାଙ୍କ ପ୍ରତି ପ୍ରକୃତ ସମ୍ମାନ ହେବ ଯଦି ତାଙ୍କ ଭାଷା ମୁଣ୍ଡାରୀ ଭାଷାକୁ ସରକାର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବେ । ସେହି ଭଳିଆ ଭୂମିଜ ଭାଷାରେ ଆଦିବାସୀ ଭୂମିଜ, ଭୂଇଁଆ, ପାଉଡ଼ି ଭୂଇଁୟା ବେଶ ଆଦୃତ । ହୋ ଭାଷା ହୋ ଆଦିବାସୀ ମଧ୍ୟରେ ପ୍ରଚଳିତ ଥିବା ବେଳେ, ଓଡିଶାରେ ପୃଥିବୀର ପଥମ ଆଦିବାସୀ କିସ ବିଶ୍ୱବିଦ୍ୟାଳୟ ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କର ଆଦିବାସୀ ମାତୃଭାଷା ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ, ସାନ୍ଥାଳ, ଅଲଚିକି, ଗୋଣ୍ଡି ଭାଷାରେ ଶିକ୍ଷା ପ୍ରଦାନ କରୁଛନ୍ତି । ଶେଷରେ ସାଂସଦ ଶ୍ରୀ ବିଶି ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ପଂକ୍ତି ଉଦ୍ଧୃତ କରି କହିଲେ ଯେ ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀଗଣରେ ଗଣିବା ଅଜ୍ଞାନ ରହିବେ କାହିଁ । ଏହା ସହିତ କୋଶଲି /ସମ୍ବଲପୁରୀ, ସଉରା, କୁଇ, ହୋ, ମୁଣ୍ଡାରୀ, ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବାକୁ ଭାରତ ସରକାରଙ୍କୁ ଦାବି କରିଥିଲେ ।

Leave A Reply

Your email address will not be published.