ରାଉରକେଲା, (ସସ୍ମିତା ପ୍ରଧାନ) : ଢେଲୁଆ ଗ୍ରାମ ପଂଚାୟତ ଅନ୍ତର୍ଗତ ବଡ଼ ନୂଆଗାଁ ମିଶନ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ଶତ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ମିଳା କିରଣ ବେକଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ଯୋଗଦେଇ ବକ୍ତବ୍ୟ ରଖିଥିଲେ ଯେ, ଶିକ୍ଷକ ମାନଙ୍କ ତ୍ୟାଗ, ସମର୍ପଣ ଓ ସେବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ସାହାଯ୍ୟ କରେ । ମିଶନ ବିଦ୍ୟାଳୟର ଶୃଙ୍ଖଳା, ଶିକ୍ଷାଦାନ ଅନନ୍ୟ ବୋଲି କହିବା ସହିତ ବିଦ୍ୟାଳୟର ଉନ୍ନତି ନିମିତ୍ତ ଦଶ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ତଥା ରାଜଗାଙ୍ଗପୁର ମଣ୍ଡଳ ଶିକ୍ଷା ଅଧିକାରୀ ସରିତା ସରୋନିଆ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥା ତଥା ଜାତୀୟ ଶିକ୍ଷା ନୀତି ସମ୍ବନ୍ଧରେ ଆଲୋକପାତ କରିବା ସହ ଅଭିଭାବକମାନେ ବିଦ୍ୟାଳୟ ସହିତ ସହଭାଗୀ ଓ ସମଭାଗୀ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ତଥା ଟିକିଟିକି ସୁନାଫୁଲର ସମ୍ପାଦକ ସୁନୀଲ ମହାନ୍ତି ବକ୍ତବ୍ୟ ରଖିଥିଲେ ଯେ, ନିଃସ୍ୱାର୍ଥ ସେବା, ନିଃସର୍ତ୍ତ ଭଲ ପାଇବା ଓ ଅସୀମ ତ୍ୟାଗ ସ୍ୱୀକାର ପୂର୍ବକ ବିଭିନ୍ନ ସମସ୍ୟାର ମୁକାବିଲା କରି ଶିକ୍ଷକ ଯେଉଁ ଛାତ୍ରଛାତ୍ରୀଙ୍କୁ ଗଢିଥାଏ, ତାହା ହିଁ ତାଙ୍କ ପାଇଁ ଶ୍ରେଷ୍ଠ ପୁରସ୍କାର ହୋଇଥାଏ । ଶିକ୍ଷକ ହିଁ ଭଲ ମଣିଷ ଗଢିବାକୁ ଆପ୍ରାଣ ଚେଷ୍ଟା କରିଥାଏ । ଏହି ଅବସରରେ ରାଜଗାଙ୍ଗପୁର ପାରିସ ଫାଦର ଶାନ୍ତି ପ୍ରକାଶ କେରକେଟା, ସରପଞ୍ଚ ଚମ୍ପକବତୀ ଏକ୍କା, ଆଲୁମିନି ସଭାପତି ବ୍ଲାଶିଉସ ଟପ୍ପୋ, ରଖୱାଲ ଲାକ୍ରା, ପାରିସ ସଭାପତି ଜେମ୍ସ କେରକେଟା, ନୂଆସ ଏକ୍କା, କାଉନସିଲର ଗାନ୍ଦାଔର ମିଞ୍ଜି, ପ୍ରମୁଖ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜର୍ଜ ଜେମ୍ସ ଖାଖା ଧନ୍ୟବାଦ ପ୍ରଦାନ ପୂର୍ବକ ବିଦ୍ୟାଳୟର ଉନ୍ନତି ନିମନ୍ତେ ଆମର ଅଭିଭାବକ ମାନେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଶିକ୍ଷୟିତ୍ରୀ ଅନୁପମା ପଟେଲ ଓ ଗୀତାଞ୍ଜଳି ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ସଂଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଓ ବୃତ୍ତି ପରୀକ୍ଷାରେ ସଫଳ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।