ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମ୍ୟୁନିସିପାଲଟି ଅନ୍ତର୍ଗତ ୱାର୍ଡ ନମ୍ବର ୧୭ ସ୍ଥିତ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମ୍ ଠାରେ ସପ୍ତମ ରାଜ୍ୟସ୍ତରୀୟ ଖଲିଆପାଲି ଫୁଟବଲ କପ୍ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ଟି ଆୟୋଜକ ଖଲିଆପାଲି ଜଗନ୍ନାଥ ସ୍ପୋର୍ଟିଂ କ୍ଲବ୍ ବନାମ ବୌଦ୍ଧ ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଲିଆପାଲି ଦଳ ୨-୦ ଗୋଲରେ ବୌଦ୍ଧ ଦଳକୁ ପରାସ୍ତ କରି ବିଜୟୀ ହୋଇଛି । ସାତଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ମ୍ୟୁନିସିପାଲଟି ୱାର୍ଡ ନମ୍ବର ୧୭ର କାଉନସିଲର ପ୍ରତିମା ଛତ୍ରିଆ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ ଉପସ୍ଥିତ ଥିଲେ । ଜଗନ୍ନାଥ ସ୍ପୋର୍ଟିଂ କ୍ଲବ ଖଲିଆପାଲିର ସଭାପତି ଶୁକଦେବ ସାହୁଙ୍କ ନେତୃତ୍ୱରେ ସମ୍ପାଦକ ହେମସାଗର ନନ୍ଦଙ୍କ ଦ୍ଵାରା ପଡ଼ିଆରେ ପୂଜାର୍ଚ୍ଚନା କରାଯାଇଥିଲା । ଏବଂ ପଡିଆ ପରିସରରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଉଦ୍‌ଘାଟନୀ ମ୍ୟାଚ୍‌ଟି ଅତି ରୋମାଞ୍ଚକର ଥିଲା । ପ୍ରଥମାର୍ଦ୍ଧରେ ଖଲିଆପାଲି ଦଳର ଖେଳାଳୀମାନଙ୍କ ଘନଘନ ଆକ୍ରମଣ ସତ୍ତ୍ୱେ ବୌଦ୍ଧ ଦଳର ପ୍ରତିରକ୍ଷାକୁ ଭେଦି ପାରୁନଥିଲେ । ବୌଦ୍ଧ ଦଳ ମଧ୍ୟ ଅନେକ ଚେଷ୍ଟା ସତ୍ୱେ କୌଣସି ଗୋଲ କରି ପାରିନଥିଲା । ଦ୍ଵିତୀୟାର୍ଦ୍ଧ ମ୍ୟାଚ୍ ଆରମ୍ଭରେ ଖଲିଆପାଲି ଦଳର ୧୪ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ନୀତେଶ ଭଇଁଶା ଏକ ଗୋଲ କରିଥିଲେ । କିଛି ସମୟ ପରେ ପୁଣି ୯ ନମ୍ବର ଜର୍ସି ପିନ୍ଧି ଖେଳୁଥିବା ଓମ୍ କାଲସାଏ ଆଉ ଏକ ଗୋଲ କରି ଦଳକୁ ଆଗେଇ ନେଇଥିଲେ । ବୌଦ୍ଧ ଦଳ ଗୋଲ ଦେବାକୁ ଅନେକ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲା । ଫଳରେ ଖଲିଆପାଲି ଦଳ ୨-୦ ଗୋଲରେ ବିଜୟୀ ହୋଇଥିଲା । ରୂପାନ୍ତରିତ ହୋଇ ନୂଆ ରୂପ ପାଇଥିବା ଖଲିଆପାଲି ଷ୍ଟାଡିୟମ୍‌କୁ ପ୍ରଥମ ଦିନରେ ଶହଶହ ସଂଖ୍ୟାରେ ଦର୍ଶକ ଆସି ମ୍ୟାଚ୍ ଉପଭୋଗ କରିଥିଲେ । ହୀରାକୁଦ ଏଫସି ବନାମ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ଦଳ ମଧ୍ୟରେ ଦ୍ଵିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.