ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ଆୟୋଜନ ହେବ, ଏନେଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଛି । ଚଳିତ ମାସ ଫେବୃଆରୀ ୪ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଉପଖଣ୍ଡ କ୍ରୀଡା ସଂଘ କପର ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଆୟୋଜନ ହେବ । ୪ ତାରିଖ ଉଦଘାଟନ ମ୍ୟାଚ ଏଫ୍ସି ସମ୍ବଲପୁର ସହ ଡାଇମଣ୍ଡ କ୍ଲବ ଖୋର୍ଦ୍ଧା ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ୍ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସ୍ସି ଟିମ – ବରଗଡ଼, ଏଫ୍ପିଏସ୍ଏ ଟିମ – ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ । ୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନର ମ୍ୟାଚ୍ ଅପରାହ୍ନ ୨ଟା ୩୦ମି.ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟାରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି । ଉପଦେଷ୍ଟା ଶେଖ ସାଦିକ, ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ସାଧାରଣ ସମ୍ପାଦକ ଡ଼. ସୁଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ, ଏ. ଶ୍ରୀନିବାସ ଦୋରା, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀର ସମସ୍ତ ସଦସ୍ୟ ଖେଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବେ ।