- କେବଳ ଗାନ୍ଧୀବାଦ୍ ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦେଇପାରିବ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିରର ଗାନ୍ଧୀ ସ୍ମୃତିକମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀଭବନ ସମ୍ମୁଖରେ ସହିଦ ଦିବସ ପାଳିତ ହୋଇଯାଇଛି । ସ୍ମୃତି କମିଟିର ଆବାହକ ସାମ୍ବାଦିକ ଯୁଧିଷ୍ଠିର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ ପଣ୍ଡା, ଯୁବନେତା ବିଧୁ ଭୂଷଣ ତ୍ରିପାଠୀ, ବରିଷ୍ଠ ନାଗରିକ ଗୋପ ଭୂଷଣ ନାଥ, ସ୍ୱାଧିନତା ସଂଗ୍ରାମୀ ପରିବାରର ସିଦ୍ଧେଶ୍ଵର ପାଣିଗ୍ରାହୀ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ତକ୍ଷକର ସଂପାଦକ ବିଶ୍ୱମୟ ପୂଜାରୀ, ଏକ୍ସନ ନ୍ୟୁଜର ସଂପାଦକ ଶ୍ରୀମନ୍ତ ପଣ୍ଡା ଓ ଗାନ୍ଧୀଭବନର ଯୁବ ପାଠକ/ପାଠିକାମାନେ ଯୋଗଦେଇ ମହାତ୍ମାଗାନ୍ଧୀଙ୍କ ଜୀବନଦର୍ଶନ ଓ ଗାନ୍ଧୀବାଦ ଉପରେ ଆଲୋଚନା କରିଥିଲେ । ପ୍ରଥମେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ତାଙ୍କ ବକ୍ତବ୍ୟରେ ଗାନ୍ଧୀବାଦକୁ ହତ୍ୟା କରାଯାଇପାରେ କିନ୍ତୁ ଗାନ୍ଧୀବାଦକୁ ନୁହେଁ ବୋଲି କହିବା ସହିତ ଆଗାମୀ ଯୁଗଯୁଗ ଧରି ଗାନ୍ଧୀବାଦ ବିଶ୍ୱକୁ ଦିଗଦର୍ଶନ ଦେଉଥିବ ବୋଲି କହିଥିଲେ । ବିଧୁ ଭୂଷଣ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ଆଦର୍ଶକୁ ସମସ୍ତ ଯୁବସମାଜ ଅନୁସରଣ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଠିକ୍ ସେହିପରି ହେମନ୍ତ ପଣ୍ଡା ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କୁ ଶଶରୀରେ ସିନା ହତ୍ୟା କରାଗଲା କିନ୍ତୁ ତାଙ୍କର ଶାନ୍ତି, ମୈତ୍ରୀ ଓ ଅହିଂସାର ବିଚାର ଚିରଦିନ ଅମର ହୋଇରହିଥିବ । ଆଜି ବିଶ୍ୱରେ ଯୁଦ୍ଧର ବିଭୀଷୀକା ଲାଗିରହିଥିବା ବେଳେ କେବଳ ଗାନ୍ଧୀବାଦ ହିଁ ବିଶ୍ୱରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦେଇପାରିବ ବୋଲି କହିଥିଲେ । ସିଦ୍ଧେଶ୍ଵର ପାଣିଗ୍ରାହୀ ତାଙ୍କ ବକ୍ତବ୍ୟରେ ସୋନପୁର ଗଡ଼ଜାତ ଅଞ୍ଚଳରୁ ଗାନ୍ଧୀଙ୍କ ସହଯୋଗୀ ଭାବରେ ସ୍ଵାଧୀନତା ସଂଗ୍ରାମରେ ରହିଥିବା ବ୍ୟକ୍ତି ବିଶେଷଙ୍କ ଉପରେ କହିଥିଲେ ।