ଓଡିଶାରେ ଖରିଫ ଧାନ କିଣା ସମସ୍ୟାକୁ ନେଇ ରାଜ୍ୟସଭାରେ ଗର୍ଜିଲେ ସାଂସଦ : ନିରଞ୍ଜନ ବିଶି

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସଂସଦର ବଜେଟ ଅଧିବେଶନ ଦ୍ଵିତୀୟ ଦିବସରେ ରାଜ୍ୟସଭାରେ ସାଂସଦ ନିରଞ୍ଜନ ବିଶି ଓଡିଶାର କୃଷକ ମାନଙ୍କ ଖରିଫ ଧାନ ବିକ୍ରୟ କରିବାରେ ସରକାରୀ ଅବହେଳା, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, କଟନୀଛଟନୀ, ସର୍ବନିମ୍ନ ସହାୟକ ମୂଲ୍ୟ (ଏମ.ଏସ.ପି) ରେ ଧାନ କିଣିବା କଟକଣା, ଭାରତ ସରକାର ଦ୍ୱାରା ନିର୍ଦ୍ଧାରିତ ଉଚିତ ହାରାହାରି ଗୁଣବତ୍ତା (ଏଫଏକ୍ୟୁ ) ର ଉଲଂଘନ ପ୍ରସଙ୍ଗ ଉପସ୍ଥାପନା କରିଥିଲେ । ସାଂସଦ ଶ୍ରୀ ବିଶି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଯେ ଓଡିଶାର ଚାଷୀ ବହୁତ ଚିନ୍ତାରେ ଅଛନ୍ତି । ଚାଷୀମାନଙ୍କୁ ଟୋକନ ଦିଆଯାଉ ନାହିଁ । ଟୋକନ ଥିବା ଚାଷୀ ଧାନ ମଣ୍ଡିକୁ ନେଲେ, ମିଲର ଧାନ ଉଠାଉ ନ ଥିବାରୁ ଚାଷୀ ମଣ୍ଡିରେ ହଇରାଣ ହେଉଛନ୍ତି । ଚାଷୀମାନେ ଏଫଏକ୍ୟୁ ଶତକଡା ୨୦ ରୁ ୨୨ ପ୍ରତିଶତ ଦାବି କରୁଥିବା ବେଳେ ଭାରତ ସରକାର ସମସ୍ତ ରାଜ୍ୟ ପାଇଁ ଶତକଡା ୧୭ ପ୍ରତିଶତ ଏଫଏକ୍ୟୁ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଓଡିଶା ସରକାର ୧୫ ପ୍ରତିଶତ ଏଫଏକ୍ୟୁ ଧାର୍ଯ୍ୟ କରି କ୍ୟୁଇଣ୍ଟାଲ ପିଛା ୮ କେଜି ଧାନ ଚାଷୀ ଠାରୁ କାଟୁଛନ୍ତି ବୋଲି ସାଂସଦ ଶ୍ରୀ ବିଶି ସର୍ବୋଚ୍ଚ ସଦନ ମାଧ୍ୟମରେ ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସାଂସଦ ଶ୍ରୀ ବିଶି ଆହୁରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରକାଶ କରିଥିଲେ ଯେ ଓଡିଶା କୃଷି ପ୍ରଧାନ ରାଜ୍ୟ । ଆଧୁନିକ ଯୁଗରେ ଚାଷୀମାନେ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରୁଛନ୍ତି । ଧାନ ଉତ୍ପାଦନ ବଢ଼ୁଛି । ଏକର ପିଛା ୩୦ /୩୫ କ୍ୟୁଇଣ୍ଟାଲ ଧାନ ଉତ୍ପାଦନ ହେଉଛି । ବଡ଼ ଚାଷୀ ୫୦୦ କ୍ୟୁଇଣ୍ଟାଲ ଧାନ ଅମଳ କରୁଛନ୍ତି । ସରକାର ବର୍ତ୍ତମାନ ବଡ଼ ଚାଷୀ ପିଛା ମାତ୍ର ୧୫୦ କ୍ୟୁଇଣ୍ଟାଲ ଧାନ ୩୧୦୦ ଟଙ୍କା ଏମଏସପିରେ କିଣିବାକୁ ଘୋଷଣା କରିଛନ୍ତି । ବଡ଼ ଚାଷୀଙ୍କ ବଳକାଧାନ ଅଭାବୀ ବିକ୍ରିର ଶିକାର ହେବେ । ଅର୍ଥାତ ଏମ.ଏସ.ପି ରୁ କମ ଦରରେ କ୍ୟୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ମିଲର କିଣିବେ ବଳକା ଧାନ । ଚାଷୀ ଶୋଷଣର ଶିକାର ହେବେ । ଓଡିଶା ପାଇଁ ୭୩ ଲକ୍ଷ ମିଲିୟନ ଟନ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ମେଟ୍ରିକ ଟନ ଧାନ ଉଠିଛି, ତେବେ ମାର୍ଚ୍ଚ ସୁଦ୍ଧା ସରକାର ଚାଷୀଙ୍କ ଧାନ କ୍ରୟ କରିବା ଅସମ୍ଭବ ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ । ତେଣୁ ଭାରତ ସରକାର କୃଷକ ସମସ୍ୟା ସମାଧାନ କରିବାକୁ ସାଂସଦ ଶ୍ରୀ ବିଶି ଦାବି କରିଥିଲେ ।

Leave A Reply

Your email address will not be published.