କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଆଜି ସନ୍ଧ୍ୟାରେ କଲମପୁର ମଣ୍ଡି ପରିଦର୍ଶନ କରିଥିଲେ । କଲମପୁର ରାସ୍ତା ଦେଇ ଯିବା ସମୟରେ କେତେକ ଚାଷୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ମଣ୍ଡିରେ ପହଞ୍ଚି ଉପସ୍ଥିତ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଚାଷୀମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ମଣ୍ଡିର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ । ମଣ୍ଡିରେ ଅନେକ ଚାଷୀଙ୍କ ଧାନ ପଡି ରହିଥିଲେ ମଧ୍ୟ ମିଲର୍ସମାନେ ଆବଶ୍ୟକ ମୁତାବକ ଟ୍ରକ ପଠାଉନଥିବା ଅଭିଯୋଗ କରିଥିଲେ । ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଠାରୁ ମଣ୍ଡିର ସ୍ଥିତି ସମ୍ପର୍କରେ ଜାଣିବାପରେ ମିଲର୍ସ ମାନଙ୍କ ସହ ଯୋଗାଯୋଗ କରି ଚାଷୀ ମାନଙ୍କ ଧାନ ଶୀଘ୍ର ଉଠାଣ କରିବା ପାଇଁ ଆଲୋଚନା କରିଥିଲେ । କେତେକ ଚାଷୀ ୧୫୦ କୁଇଣ୍ଟାଲ ଧାନ ବିକ୍ରି ପରେ ଆଉ ଟୋକାନ ଆସୁନଥିବା ଅଭିଯୋଗ କରିଥିଲେ । ସେ ସମ୍ପର୍କରେ ମଧ୍ୟ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି ଆବଶ୍ୟକ ପଡିଲେ ଆଗାମୀ ଦିନରେ ଚାଷୀ ମାନଙ୍କ ସୁବିଧା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରାଯିବ ବୋଲି ଚେତାବନୀ ଦେଇଥିଲେ । ମଣ୍ଡିର ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।